ପୁରୁଷୋତ୍ତମପୁର,୧୩।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ସୋମବାରଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଛି। ଏହାକୁ ନେଇ ଭକ୍ତ ବେଶ ଖୁସି ଅଛନ୍ତି। ପ୍ରଥମ ଦିନରେ ପାଞ୍ଚ ଶହରୁ ଊଦ୍ଧର୍ବ ଭକ୍ତ ମା’ଙ୍କ ଦର୍ଶନ କରିଛନ୍ତି। କରୋନାର ଦ୍ୱିତୀୟ ଲହର ପ୍ରକୋପ ସାଙ୍ଗକୁ ମନ୍ଦିରର ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ହେତୁ ଜିଲା ପ୍ରଶାସନ ପକ୍ଷରୁ ଗତ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ତଥା ଏପ୍ରିଲ ମାସ ୧୩ ତାରିଖ ପରଠାରୁ ଜନସାଧାରଣଙ୍କୁ ମନ୍ଦିର ଯିବାଲାଗି ବାରଣ କରାଯାଇଥିଲା। ଏହାକୁ ନେଇ ଏଠାରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିଲା। ରବିବାର ମୂଖ୍ୟମନ୍ତ୍ରୀ ମା’ ଙ୍କ ଦର୍ଶନ କରି ଯିବା ପରେ ଜିଲାପାଳ ଟୁଇଟ୍ କରି ମନ୍ଦିର ଖୋଲିବା ସମ୍ପର୍କରେ ସୂଚନା ଦେବା ସହ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବସ୍ ଯୋଗେ ପାହାଡ ତଳୁ ଉପରକୁ ମା’ ଙ୍କ ଦର୍ଶନ ଲାଗି ଭକ୍ତ ମାନେ ଯିବେ ବୋଲି କହିଥିଲେ। ମାତ୍ର ଘରୋଇ ଗାଡିକୁ ପାହାଡ଼ ଉପରକୁ ଯିବାଲାଗି ବାରଣ କରାଯାଇଛି।