ଭୁବନେଶ୍ୱର, ୧୧ା୩(ବ୍ୟୁରୋ): ଓଡ଼ିଶାର ଲଘୁ ଖଣିଜ ସମ୍ପଦର ସୁପରିଚାଳନା ନିମନ୍ତେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ବିଭିନ୍ନ ଲଘୁ ଖଣିଜ ଉତ୍ସରୁ ୬୬୨ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇସାରିଲାଣି। ଗତ ୨ ମାସରେ ବେଆଇନ ଭାବେ ଲଘୁ ଖଣିଜ ସମ୍ପଦ ଉଠାଣ ଅଭିଯୋଗରେ ୧୬ କୋଟି ୨୫ ଲକ୍ଷ ଜରିମାନା ଆଦାୟ ହୋଇଛି। ମାର୍ଚ୍ଚ ଶେଷ ସୁଦ୍ଧା ୧,୦୦୦ କୋଟି ଟଙ୍କା ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରହିଛି। ନିୟମାନୁଯାୟୀ ଲଘୁ ଖଣିଜ ଚାଲାଣ ଉପରେ କୌଣସି ହସ୍ତକ୍ଷେପ ନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲଘୁ ଖଣିଜର ଚୋରା କାରବାର, ବେନିୟମ ଉଠାଣ ରୋକିବା ଲାଗି ଯଥାସମ୍ଭବ ପଦକ୍ଷେପ ନେବା, ଏଥିରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା ରିମୋଟ ସେନ୍ସିଂ ଜ୍ଞାନକୌଶଳର ବ୍ୟବହାର କରିବା, ନଦୀ ବାଲି ସମେତ ଅନ୍ୟ ଉତ୍ସର ଠିକ୍ ଆକଳନ, ଭୂ-ସନ୍ଦର୍ଭଯୁକ୍ତ ମାନଚିତ୍ର ପ୍ରସ୍ତୁତ କରିବା ଲାଗି ଅତିରିକ୍ତ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଲଘୁ ଖଣିଜ ସମ୍ପଦ ପରିବହନ କରୁଥିବା ଏକ ସ୍ବୟଂକ୍ରିୟ ଯାନବାହାନ ସର୍ବେକ୍ଷଣ ଆପ୍ ପ୍ରସ୍ତୁତ କରିବା ଲାଗି ଓର୍ସାକ୍ର ବରିଷ୍ଠ ବୈଜ୍ଞାନିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଲଘୁ ଖଣିଜ ସମ୍ପଦ ଉତ୍ସକୁ କାର୍ଯ୍ୟକ୍ଷମ କରିବା ପାଇଁ ସିଙ୍ଗଲ ୱିଣ୍ଡୋ ପଦ୍ଧତି ବ୍ୟବହାର, ସମସ୍ତ ପ୍ରକାର ବୈଧାନିକ ଅନୁମୋଦନ ପ୍ରକ୍ରିୟାକୁ ସ୍ବୟଂଚାଳିତ କରିବା ଲାଗି ପରାମର୍ଶ ଦିଆଯାଇଛି। ସାଧାରଣ ଲୋକଙ୍କ ସହାୟତା ବିନା ଲଘୁ ଖଣିଜ ଚୋରାଚାଲାଣ ରୋକିବା ଅସମ୍ଭବ। ତେଣୁ ଏଥିଲାଗି ଏକ ଆପ୍ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।