ଭୁବନେଶ୍ୱର, ୨୮।୬(ବ୍ୟୁରୋ): ଭାରତରେ ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ମିଶନ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଛି। ଭବିଷ୍ୟତରେ କୋଇଲା ବାଷ୍ପୀକରଣ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। କୋଇଲା ଜଳାଇବା ତୁଳନାରେ ଏହାକୁ ସ୍ବଚ୍ଛ ଇନ୍ଧନ ବିକଳ୍ପ ଭାବେ ବିବେଚନା କରାଯାଉଛି। ଏଥିରେ ଥିବା ରାସାୟନିକ ଉପାଦାନକୁ ବାଷ୍ପୀକରଣ ପ୍ରକ୍ରିୟାରେ ଉପଯୋଗ କରାଯାଇଥାଏ। ଏହା ଅପେକ୍ଷାକୃତ ବେଶି ପରିବେଶ ଅନୁକୂଳ ବୋଲି କହିଛନ୍ତି ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭି. କେ. ତିୱାରୀ। ଶକ୍ତି, ଇସ୍ପାତ, ଖଣି ମନ୍ତ୍ରଣାଳୟ ଏବଂ କୋଇଲା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ଖଣିଜ କଂଗ୍ରେସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି।
ଆଲୋଚନାରେ ଅଂଶଗ୍ରହଣ କରି ତିୱାରୀ କହିଲେ, ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ଫଳରେ ଅଧିକ କୋଇଲା ଉତ୍ତୋଳନ ହୋଇପାରୁଛି। ଖଣି ଖନନ କାର୍ଯ୍ୟରେ କମ୍ପାନୀମାନେ ନୂତନ ଜ୍ଞାନକୌଶଳ ଆପଣାଇବା ଉଚିତ। ଏଥିସହ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଭାରତ ନିକଟରେ ୩,୮୯୬ ନିୟୁତ ଟନ୍ ବକ୍ସାଇଟ୍ ଉତ୍ସ ରହିଛି। ତେବେ ଭାରତୀୟ ଖଣିଜ ଭଣ୍ଡାରରେ ଏହା ମାତ୍ର ୧୭ ପ୍ରତିଶତ। ଅର୍ଥାତ୍ ୬୫୬ ନିୟୁତ ଟନ୍ ବକ୍ସାଇଟ୍ ମହଜୁଦ୍ ଅଛି। ବର୍ତ୍ତମାନ ଭାରତର ହାଇଡ୍ରୋଜେନ୍ ଆବଶ୍ୟକତା ବାର୍ଷିକ ୬.୭ ନିୟୁତ ଟନ୍ ଥିବା ବେଳେ ୨୦୩୦ ବେଳକୁ ଏହା ୧୧.୭ ନିୟୁତ ଟନ୍କୁ ବୃଦ୍ଧି ପାଇବ। ବିଶୋଧନାଗାର ଏବଂ ସାର କାରଖାନାଗୁଡ଼ିକ ହାଇଡ୍ରୋଜେନର ସବୁଠୁ ବଡ଼ ଉପଭୋକ୍ତା ପାଲଟିଛନ୍ତି। ଏବେ ଏହା ପ୍ରାକୃତିକ ବାଷ୍ପରୁ ଉତ୍ପାଦନ ହେଉଛି। କୋଇଲା ବାଷ୍ପୀକରଣ ପ୍ରକ୍ରିୟା ଦ୍ୱାରା ଏହାକୁ ଆହୁରି ସୁବିଧାରେ ଉତ୍ପାଦନ କରାଯାଇପାରିବ ବୋଲି ତିୱାରୀ ସୂଚନା ଦେଇଛନ୍ତି।
ପ୍ରାରମ୍ଭରେ ଖଣି ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଜୈନ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସବୁ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜାତୀୟ ଖଣିଜ କଂଗ୍ରେସରୁ ଫଳପ୍ରଦ ପରିଣାମ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଶ୍ୱ ଖଣିଜ କଂଗ୍ରେସର ଭାରତୀୟ ଜାତୀୟ କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି। ଶନିବାର ପ୍ରତିନିଧିମାନେ ଅନୁଗୋଳସ୍ଥିତ ଜେଏସ୍ପିଏଲ୍ର କୋଇଲା ବାଷ୍ପୀକରଣ ପ୍ଲାଣ୍ଟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।