ଭଞ୍ଜନଗର,୨୩ା୬(ଡି.ଏନ.ଏ.): ଭଞ୍ଜନଗର ମତ୍ସ୍ୟ ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ଚଳିତ ଆର୍ଥିକ ବର୍ଷରେ ୩୫ କୋଟି ଗୁଣ୍ଡ ଯାଆଁଳ ଏବଂ ୪ କୋଟି ୧୦ ଲକ୍ଷ ବଡ ଜାଆଁଳ ବିକ୍ରି ଲକ୍ଷ୍ୟ ରଖାଯାଇଛି। ତେଣୁ ଚଳିତବର୍ଷର ପ୍ରଥମ ମାଛ ଯାଆଁଳ (ସ୍ପନ, ଫ୍ରାଏ ଏବଂ ଫିଙ୍ଗରଲିଙ୍ଗ) ସାଇଜର ଯାଅଁାଳ ବୁଧବାର ବିକ୍ରି ଆରମ୍ଭ ହୋଇଛି। ଏଥିସହ ଗୁଣ୍ଡ ଯାଆଁଳ ମଧ୍ୟ ରାଜ୍ୟର ବିଭିନ୍ନ ଜଳଭଣ୍ଡାର ଓ ବଡ ଚାଷୀଙ୍କୁ ବିକ୍ରି କରାଯାଇଛି। ଚଳିତବର୍ଷ ନିର୍ଦ୍ଧାରିତ ସମୟରେ ମୌସୁମୀ ବର୍ଷା ଆସିଥିବା ଯୋଗୁ ଯାଆଁଳ ବିକ୍ରି ଲକ୍ଷ୍ୟ ପୂରଣ ହେବା ଆଶା କରାଯାଉଛି। ତେଣୁ ବିଭାଗ ପକ୍ଷରୁ ଉନ୍ନତ ଯାଆଁଳ ପ୍ରସ୍ତୁତ ହୋଇଛି। ଆଗ୍ରହୀ ଚାଷୀ ଯାଅଁାଳ ଉତ୍ପାଦନ କେନ୍ଦ୍ରକୁ ଆସି ସୁଲଭ ଦରରେ ନେଇପାରିବେ ବୋଲି ବ୍ଲକ ଏଏଫଓ ସୁଧାଂଶୁ ଶେଖର ସାହୁ କହିିଛନ୍ତି।
ଗତବର୍ଷ ମୌସୁମୀ ବର୍ଷା ଠିକ ଭାବେ ହୋଇ ନ ଥିଲା। ତେଣୁ ଲକ୍ଷ୍ୟ ପୂରଣ ହୋଇପାରି ନ ଥିଲା। ଏଥିସହ ଜଗନ୍ନାଥପ୍ରସାଦ ବ୍ଲକ ଦୁବରେ ମଧ୍ୟ ହୋଇଥିବା ରାଜ୍ୟର ପ୍ରମୁଖ ଯାଆଁଳ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାଆଁଳ ପଠାଯାଉଛି। ରାଜ୍ୟରେ ମାଛ ଚାହିଦା ମେଣ୍ଟାଇବା ପାଇଁ ସରକାର ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ତେଣୁ ରାଜ୍ୟରେ ପୂର୍ବ ଅପେକ୍ଷା ମାଛ ଉତ୍ପାଦନ ବଢିଛି। ଏଥିସହ ସରକାର ବିଭିନ୍ନ ଯାଆଁଳ ଉତ୍ପାଦନ କେନ୍ଦ୍ରଗୁଡିକରେ ୧୨ ମାସ ଯାଆଁଳ ବିକ୍ରି ଲାଗି ଯୋଜନା କରିଛନ୍ତି। ତେଣୁ ଏଥର ଭଞ୍ଜନଗର କେନ୍ଦ୍ରରେ ୧୨ ମାସ ଯାଆଁଳ ବିକ୍ରି ଆରମ୍ଭ ହୋଇଛି। ଭଞ୍ଜନଗର କେନ୍ଦ୍ର ଲାଭରେ ଚାଲୁଥିଲେ ମଧ୍ୟ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି। ଯାଆଁଳ ଉତ୍ପାଦନ କେନ୍ଦ୍ରର ଅଧିକାଂଶ କର୍ମଚାରୀ ବହୁ ବର୍ଷ ହେବ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ। ବିଭିନ୍ନ ସମୟରେ ଉକ୍ତ କେନ୍ଦ୍ର ପରିଦର୍ଶନ କରିବାକୁ ଆସୁଥିବା ଅଧିକାରୀମାନେ କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଚାଲିଯାଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ କର୍ମଚାରୀଙ୍କ କଥାକୁ ବିଚାରକୁ ନିଆଯାଉନାହିଁ। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଲାଭରେ ଚାଲୁଥିବା ସଂସ୍ଥାର କର୍ମଚାରୀଙ୍କ କଥା ବିଚାରକୁ ନେବା ପାଇଁ ଦାବି ହେଉଛି।