ପୁନଶ୍ଚ ମେରୁ ଅଞ୍ଚଳର ଅତ୍ୟଧିକ ଥଣ୍ଡା ଯୋଗୁଁ ଏଠାରେ ବହୁ ପୂର୍ବରୁ ରହିଯାଇଥିବା ଅନେକ ବସ୍ତୁ ଘନୀଭୂତ ଅବସ୍ଥାରେ ଅଛି ଏବଂ ଏହାର ବିଶେଷ ପରିବର୍ତ୍ତନ ହୋଇନାହିଁ। ଚନ୍ଦ୍ରର ଉତ୍ତର ଓ ଦକ୍ଷିଣ ମେରୁରେ ଥିବା ପଥର ଓ ମୃର୍ତ୍ତିକା ସୌରଜଗତର ଗଠନ ସମ୍ବନ୍ଧରେ ସୂଚନା ଦେଇପାରେ।
ଏଠାରେ ପ୍ରଶ୍ନ ଉଠେ ଯେ ଚନ୍ଦ୍ର ମେରୁ ଅଞ୍ଚଳର କିଛି ଅଞ୍ଚଳ କାହିଁକି ସୂର୍ଯ୍ୟାଲୋକ ପାଏନାହିଁ? ପୃଥିବୀର ଘୂର୍ଣ୍ଣନ ଅକ୍ଷ ପୃଥିବୀର କକ୍ଷ ଠାରୁ ୨୩.୫ ଡିଗ୍ରୀ ଢଳିକରି ଥିବା ବେଳେ ଚନ୍ଦ୍ରର ଅକ୍ଷ ଏହାର କକ୍ଷ ସହିତ ମାତ୍ର ୧୫ ଡିଗ୍ରୀ ଢଳିକରି ରହିଛି। ଏହି ଅନନ୍ୟ ଜ୍ୟାମିତି ପାଇଁ ଚନ୍ଦ୍ରର ଉଭୟ ମେରୁେରେ ଥିବା ଅନେକ ଗର୍ତ୍ତର ଚଟାଣରେ ସୂର୍ଯ୍ୟାଲୋକ କେବେ ପହଞ୍ଚତ୍ ପାରେ ନାହିଁ। ଏହି ଅଞ୍ଚଳଗୁଡ଼ିକୁ ‘ସ୍ଥାୟୀରୂପେ ଛାୟାଞ୍ଚଳ’ କୁହାଯାଏ। ନାସା ୨୦୧୯ ମସିହାରେ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ, ଏହି ଛାୟାଞ୍ଚଳକୁ ପ୍ରବେଶ କରିଥିବା ଜଳ ସେଠାରେ ଅନେକ ସମୟ ପର୍ଯ୍ୟନ୍ତ ରହିପାରିବ। ନାସା ପଠାଇଥିବା ‘ଲୁନାର ରିକନାଇସାନ୍ସ ଅର୍ବିଟର’ ବର୍ତ୍ତମାନ ଚନ୍ଦ୍ର କକ୍ଷରେ ରହି ଏହାକୁ ପ୍ରଦକ୍ଷିଣ କରୁଛି। ଏଥିରେ ଥିବା ଡିଭାଇନ୍ ଯନ୍ତ୍ର ଚନ୍ଦ୍ରର ବିଭିନ୍ନ ତାପମାତ୍ରା ମଧ୍ୟ ମାପିଛି, ଯେଉଁଥିରୁ ସୂଚନା ମିଳୁଛି ଯେ ଏହି ପୃଷ୍ଠଗୁଡ଼ିକର ଅତ୍ୟଧିକ ଥଣ୍ଡା ଯୋଗୁଁ ସେଠାରେ ଜଳ ସ୍ଥିର ଭାବରେ ଅଛି। ଏଠାରେ ମଧ୍ୟ ମୂଲ୍ୟବାନ୍ ଖଣିଜ ପଦାର୍ଥ ଥିବାର ଅନୁମାନ କରାଯାଉଛି।
ଏଣୁ ଦକ୍ଷିଣ ମେରୁର ଲୁକ୍କାୟିତ ତଥ୍ୟ ଉନ୍ମୁକ୍ତ କରିବା ପାଇଁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସେଠାରେ ଅବତରଣ କରିବ। ଏହା ଯଦି ସଫଳ ଭାବେ ସେଠାରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରେ, ତାହାହେଲେ ଏହି କ୍ଷେତ୍ରରେ ଭାରତ ପ୍ରଥମ ଦେଶ ହେବ। ଅନ୍ୟପକ୍ଷରେ ନିଶ୍ଚିତଭାବେ ଇସ୍ରୋ ପାଇଁ ଗର୍ବର ବିଷୟ ହେବ। ଇସ୍ରୋ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ସେମାନେ ଚନ୍ଦ୍ରଯାନ-୨ର ତ୍ରୁଟିକୁ ସୁଧାରିଛନ୍ତି ଏବଂ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଆଶାବାଦୀ ଅଛନ୍ତି। (ଶେଷ ଭାଗ)
-ଇଂ ମାୟାଧର ସ୍ବାଇଁ
୭୦, ଲକ୍ଷ୍ମୀବିହାର,
ଫେଜ୍-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪