Categories: ବାଣିଜ୍ୟ

୧.୫ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ, ୮।୧୧: କରୋନା ଦ୍ୱାରା ପ୍ରଭାବିତ ଅର୍ଥ ବ୍ୟବସ୍ଥା ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି। ସେବା କ୍ଷେତ୍ର କାର୍ଯ୍ୟକଳାପରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉଛି। ଆଗାମୀ ମାସଗୁଡ଼ିକରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଆଗାମୀ ଦିନରେ ମାସିକ ଜିଏସ୍‌ଟି ଆଦାୟ ୧.୫ ଲକ୍ଷ କୋଟି ଛୁଇଁପାରେ। ଏହା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଜସ୍ବ ସ୍ଥିତିରେ ସୁଧାର ଆସିବ ବୋଲି ଆକଳନ କରାଯାଇଛି।
ବର୍ଷ ଏପ୍ରିଲରେ ୧.୪ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ କେନ୍ଦ୍ର ସରକାର ସକ୍ଷମ ହୋଇଥିଲେ। ଜୁନ ମାସରେ ଏହା ୯୨,୯୦୦ କୋଟି ଟଙ୍କାକୁ ହ୍ରାସ ହୋଇଥିଲା। କୋଭିଡ୍‌ ଦ୍ୱିତୀୟ ଲହର ଯୋଗୁ ଟିକସ ଆଦାୟ ପ୍ରଭାବିତ ହୋଇଥିଲା। ଅକ୍ଟୋବରରେ ୧.୩ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରାଯାଇଛି। ଏହା ଦ୍ୱିତୀୟ ସର୍ବାଧିକ ଟିକସ ଆଦାୟ। ଟିକସ ଆଦାୟକୁ ବଢ଼ାଇବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେବେ ବୋଲି ପ୍ରକ୍ରିୟା ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି। ଟିକସ ଢ଼ାଞ୍ଚାରେ ପରିବର୍ତ୍ତନ କରିବା ଲାଗି ଏକ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଗଠନ କରାଯାଇଛି। ୫% ଟିକସ ଥାକରେ ରହିଥିବା କିଛି ସାମଗ୍ରୀ ଉପରେ ଜିଏସ୍‌ଟି ବଢ଼ାଯାଇପାରେ।
ସ୍ଲାବକୁ ୬ରୁ ୭% କରାଯାଇପାରେ। ଏହାବାଦ ୫% ଥାକରେ ରହିଥିବା ସବୁ ସାମଗ୍ରୀକୁ ଏହି ଥାକରୁ ବାହାରକୁ ବାହାର କରାଯାଇପାରେ। କିଛି କିଛି କ୍ଷେତ୍ରରେ ସରକାର ଯେଉଁ ଟିକସ ଛାଡ଼ ସୁବିଧା ଦେଇଛନ୍ତି ବ୍ୟବସାୟୀମାନେ ତାର ଅପବ୍ୟବହାର ମଧ୍ୟ କରୁଥିବା ସରକାରଙ୍କ ନଜରକୁ ଆସିଛି। ୧୨ ଏବଂ ୧୮% ସ୍ଲାବର ମିଶ୍ରଣ ନେଇ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଚାର କରିପାରିବେ ବୋଲି ଅଧିକାରୀ କହିଛନ୍ତି। ଏହାକୁ ବାଦ ଦେଇ ୧୬% କିମ୍ବା ୧୭%ର ଏକ ଷ୍ଟାଣ୍ଡାର୍ଡ ଟିକସ ହାର ରଖାଯାଇପାରିବ। କିଛି ରାଜ୍ୟରେ ନିର୍ବାଚନ ରହିଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସରକାର ଗ୍ରହଣ କରି ନ ପାରନ୍ତି ବୋଲି କୁହାଯାଉଛି।

Share