ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ ଉତ୍ପାଦନ ହୋଇପାରିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଦିଅନ୍ତି। ବେକାର ଯୁବତୀ ଯୁବକମାନେ କିପରି କୃଷି କ୍ଷେତ୍ରରେ ଆତ୍ମର୍ନିଭରଶୀଳ ହେବା ସହିତ ଅନ୍ୟକୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ କରିପାରିବେ ସେ ଦିଗରେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗଡିଆ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପାତ୍ରପଡା ଗ୍ରାମର ରଞ୍ଜନ କୁମାର ସାହୁ।
ଶିକ୍ଷକ ସହ ଜଣେ ଉଦ୍ୟାନ ଚାଷୀ ଭାବେ ପରିଚିତ ସାହୁ ଦୀର୍ଘ ୧୧ ବର୍ଷ ହେଲା ଚାରା ଉତ୍ପାଦନ କରିଆସୁଛନ୍ତି। ଇତିମଧ୍ୟରେ ଲକ୍ଷାଧିକ ଚାରା ସେ ବିକ୍ରି କରିଛନ୍ତି। ପ୍ରାୟ ୩୦ଟିରୁ ଅଧିକ ପରିବାରକୁ ରୋଜଗାର ଯୋଗାଇ ପାରିଛନ୍ତି। ଏ ସମ୍ପର୍କରେ ସାହୁ କହିଛନ୍ତି, ଚାଷ ସମ୍ପର୍କରେ ବାପା ବୁଲା ସାହୁଙ୍କ ଠାରୁ ସେ ଶିକ୍ଷା ପାଇଛନ୍ତି। ବାପା ଏ ସବୁ କାର୍ଯ୍ୟ କରୁଥିବା ପିଲାଦିନରୁ ସେ ଦେଖି ଅସିଛନ୍ତି। ତେଣୁ ବାପାଙ୍କ ସେହି କାର୍ଯ୍ୟକୁ ଆହୁରି ଆଗକୁ ନେବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। ୨୦୦୮ରୁ ସେ ବାଗଡିଆ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ବାପାଙ୍କୁ ସାହାଯ୍ୟ ସହଯୋଗ କରୁଥିଲେ। ୨୦୧୨ରେ ଉଦ୍ୟାନ କୃଷିକୁ ନେଇ କିପରି ଅଧିକ ରୋଜଗାର କରାଯାଇପାରିବ ସେ ନେଇ ବିଭିନ୍ନ କୃଷି ଅଧିକାରୀ, କୃଷି ବୈଜ୍ଞାନିକଙ୍କ ସହିତ ଆଲୋଚନା କରିଥିଲେ। ୨୦୧୩ରେ ପ୍ରଥମେ ଚାରା କଲମୀ କରି ବିକ୍ରି କରିବା ଆରମ୍ଭ କରିଥିଲେ। ଏହା ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ପ୍ରାୟ ୨୦ ଏକରରେ ବିଭିନ୍ନ ପ୍ରକାରର ଆମ୍ବ ଚାରା ଲଗାଇବା ସହିତ କଲମୀ କରୁଛନ୍ତି। ଏଥିସହ କଦଳୀ, ପିଜୁଳି, ଲେମ୍ବୁ, ବରକୋଳି, ଅମୃତଭଣ୍ଡା, ଶାଳ ଚାରା ଆଦି ବିକ୍ରି କରୁଛନ୍ତି। ଆମ୍ରପଲ୍ଲୀ, ଦଶେରୀ, ବାଇଗଣପଲେଇ ଚାରା ସହିତ ବଜାରରେ ମିଳୁଥିବା ମାହାଙ୍ଗା ହାଇବ୍ରିଡ଼ ଆମ୍ବ ମିଆଁଜାକି, ନୁରଜାନ, ପାଲମର, ଡି -୫୯ ଆଦିରୁ ଚାରା ପ୍ରସ୍ତୁତ କରୁଛନ୍ତି। ଥାଇଲାଣ୍ଡ ବରକୋଳି, ସବୁଜ ଓ ନାଲି ବରକୋଳି ଚାରା ସହିତ ଥାଇଲାଣ୍ଡ ପିଜୁଳି, ନାଲି ପିଜୁଳି, ଏଲ -୪୯, ଭିଏନ୍ଆର୍ ଆଦି ଅଧିକ ଅମଳ ଦେଉଥିବା ଚାରା ସହିତ ଫୁଲ ଚାରା ମଧ୍ୟ କଲାମୀ କରି ପ୍ରସ୍ତୁତ କରୁଛନ୍ତି। ପ୍ରତିବର୍ଷ ପ୍ରାୟ ୩ ଲକ୍ଷରୁ ଅଧିକ ଚାରା ବିକ୍ରି କରି ସେ ଟଙ୍କା ଉପାର୍ଜନ କରିବା ସହିତ ଏ ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି l କେହି କେହି ଶିକ୍ଷକ ରଞ୍ଜନ ସାହୁଙ୍କୁ ସବୁଜ ଶିକ୍ଷକ ବୋଲି ଡାକିଥାନ୍ତି l