ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଲେ ଶିକ୍ଷକ, ପରିବାର ଲୋକେ ଦେଲେ ଏମିତି ଶିକ୍ଷା

ଜୟପୁର,୨୪ା୭: ଆଜି ସମଗ୍ର ଦେଶରେ ପାଳିତ ହେଉଛି ଗୁରୁପୂର୍ଣ୍ଣିମା। ଆଜି ପରି ପବିତ୍ର ଦିନରେ ଜଣେ ଗୁରୁଙ୍କ କୁତ୍ସିତ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜସ୍ଥାନର ସିକର ଜିଲାରୁ ଏପରି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷକ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମୋବାଇଲରେ ଅଶ୍ଳୀଳ ମେସେଜ ପଠାଇଥିଲେ। ଏହା ଜାଣିବା ପରେ ଛାତ୍ରୀଙ୍କ ପରିବାର ଲୋକେ ଶିକ୍ଷକଙ୍କୁ ନିର୍ଧୂମ ପିଟିବା ସହ ପୋଲିସ ଜିମା ଦେଇଛନ୍ତି।

ଏହି ଘଟଣା ଫତେପୁରର ମାରଡାଟୁର ଏକ ଗାଁର ସରକାରୀ ସ୍କୁଲର। ଏଠାରେ ପଢୁଥିବା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗଣିତ ଶିକ୍ଷକ ସୁରେଶ କୁମାର ହଇରାଣ ହରକତ କରିବା ସହ ଅଶ୍ଳୀଳ ମେସେଜ ପଠାଉଥିଲେ। ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କ ନିକଟରେ କହିଥିଲେ। ଏହା ଶୁଣି ପରିବାର ଲୋକେ ରାଗି ପାଚି ଲାଲ୍‌ ହୋଇଗଲେ। ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଟାଣି ଆଣି ନିର୍ଧୂମ ପିଟିଛନ୍ତି।

କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ରହିଛି। ଏବେ ଅନ୍‌ଲାଇନ୍‌ କ୍ଲାସ ଚାଲୁଛି। ତେଣୁ ସମସ୍ତ ଛାତ୍ରୀଛାତ୍ରଙ୍କ ନମ୍ବର ଶିକ୍ଷକଙ୍କ ନିକଟରେ। ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଜଣକ ଅନ୍‌ଲାଇନ୍‌ କ୍ଲାସ କରୁଥିଲେ। ଏହି ସମୟରେ ଗଣିତ ଶିକ୍ଷକ ତାଙ୍କ ନିକଟକୁ ଅଶ୍ଳୀଳ ମେସେଜ ପଠାଇଥିଲେ। ପ୍ରଥମେ ଛାତ୍ରୀ ଭାବିଥିଲେ ଭୁଲବଶତଃ ହୁଏତ ଆସିଯାଇଥିବ। ମାତ୍ର ଶିକ୍ଷକ ବାରମ୍ବାର ତାଙ୍କ ନିକଟକୁ ମେସେଜ ପଠାଇ ଚାଲିଲେ। ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପହଞ୍ଚି ଶିକ୍ଷକଙ୍କୁ ପିଟିବା ସହ ପୋଲିସରେ ଦେଇଛନ୍ତି।

Share