ଛାତ୍ରୀଙ୍କ ଉପରକୁ କପି ଫିଙ୍ଗିଲେ ଶିକ୍ଷକ: ୨୫ ହଜାର ନ ଦେଲେ ଏମ୍‌ପି କରାଇଦେବାକୁ ଧମକ

ଲଙ୍ଗଳେଶ୍ୱର, ୮।୫(ଡି.ଏନ.ଏ.)-ପରୀକ୍ଷା କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ କପି ବାଣ୍ଟୁଥିବା ବେଳେ ଅଚାନକ ପରୀକ୍ଷା ନିରୀକ୍ଷକ ଆସିଯିବାରୁ ନିଜକୁ ବଞ୍ଚାଇବାକୁ ଯାଇ ଜଣେ ଛାତ୍ରୀଙ୍କ ଉପରକୁ ପରୀକ୍ଷାକେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ କପି ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଉକ୍ତ ଛାତ୍ରୀଙ୍କ ପାଖରୁ କପି ବାହାରିବାରୁ ପରୀକ୍ଷା ନିରୀକ୍ଷକ ଆଡ଼ମିଟ୍‌ କାର୍ଡ଼ ନେଇଯିବା ସହ ଏକ ଫର୍ମରେ ଦସ୍ତଖତ କରାଇନେଇଥିଲେ। ପରୀକ୍ଷା କେନ୍ଦ୍ର ଅଧୀକ୍ଷକ ତାଙ୍କୁ ଏମ୍‌ପି କରାଇଦେବାକୁ ଧମକ ଦେଇ ଉକ୍ତ ଛାତ୍ରୀଙ୍କୁ ୨୫ହଜାର ଟଙ୍କା ଦେବା ପାଇଁ ଦାବି କରୁଛନ୍ତି। ଯାହାକୁ ନେଇ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଏକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ଛାତ୍ରୀ ଜଣକ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ବିନା ଦୋଷରେ ତାଙ୍କ ଝିଅକୁ ଫସେଇ ଦିଆଯାଇଥିବାରୁ ସେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।