ଶିକ୍ଷକଙ୍କୁ ବୋକା ବନେଇ ନେଇଥିଲେ ୧୫ ଲକ୍ଷ

ଝାରସୁଗୁଡ଼ା ଅଫିସ,୨୮ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଏକ ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଶ୍ରୀପୁରା ଗ୍ରାମର ଲକ୍ଷ୍ମୀଧର ପୋଢ (୩୦)। ପୋଲିସ ତାଙ୍କ ନିକଟରୁ ନଗଦ ୪.୭ଲକ୍ଷ ଓ ବ୍ୟାଙ୍କ ଆକାଉଣ୍ଟରେ ଥିବା ୪ଲକ୍ଷ ଟଙ୍କା ଜବତ କରିଛି।
ସୂଚନାନୁସାରେ, ଠକେଇର ଶିକାର ହୋଇଥିବା ଶ୍ରୀପୁରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ପ୍ରସନ୍ନ ଦୀକ୍ଷିତ(୮୩)ଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବଡମାଲ ଥାନା (କେସ୍‌ନଂ୧୮୦/୨୧)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଅଭିଯୋଗରୁ ଜଣାପଡିଛି ଶିକ୍ଷକ ଦୀକ୍ଷିତ ଘରେ ଏକା ରହୁଥିବାବେଳେ ବିଭିନ୍ନ ସମୟରେ ଯୁବକ ଲକ୍ଷ୍ମୀଧର ତାଙ୍କ ଘରକୁ ଯିବାଆସିବା କରନ୍ତି। ଗତ ୪ତାରିଖରେ ଲକ୍ଷ୍ମୀଧର ଏକ ବ୍ୟାଗ୍‌ରେ କିଛି ଜିନିଷ ନେଇ ଶିକ୍ଷକଙ୍କ ଘରେ ରଖି କାଲି ନେବାକୁ କହିଥିଲେ।

ପରଦିନ ସେ ଶିକ୍ଷକଙ୍କ ଘରକୁ ଆସି ବ୍ୟାଗ୍‌ ନେଇଥିଲେ। ପରେ ସେ ଆସି ଶିକ୍ଷକଙ୍କୁ କହିଥିଲେ ବ୍ୟାଗ୍‌ରେ କଳାଟଙ୍କା ଥିଲା ।ଏହି ଟଙ୍କା ବ୍ୟାଗ୍‌ ନେଉଥିବାବେଳେ ପୋଲିସ ଜବତ କରିଛି । ପୋଲିସକୁ ୨ଲକ୍ଷ ଟଙ୍କା ଦେଲେ ଆମକୁ ଗିରଫ ନ କରି ଛାଡିଦେବ ବୋଲି କହିଥିଲେ ଯୁବକ। ଶିକ୍ଷକ ଜଣଙ୍କ ଭୟଭୀତ ହୋଇ ୨ଲକ୍ଷ ଟଙ୍କା ଦେଇଥିଲେ। ପରେ ଲକ୍ଷ୍ମୀଧର ଇନ୍‌କମ୍‌ ଟ୍ୟାକ୍ସ ବାହାନା କରି ପୁଣି ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଗତ ୪ରୁ ୨୩ତାରିଖ ମଧ୍ୟରେ ଶିକ୍ଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୫ଲକ୍ଷ ଟଙ୍କା ଲକ୍ଷ୍ମୀଧର ଉଠାଇ ନେଇଥିଲେ। ପରେ ସେ ଶିକ୍ଷକଙ୍କଠାରୁ ୭୦ହଜାର ଟଙ୍କା ଦାବି କରିଥିଲେ। ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନ ଥିବାରୁ ସେ ତାଙ୍କ ନାତିଙ୍କୁ ମାଗିଥିଲେ। ଏପଟେ ୨୦ଦିନ ମଧ୍ୟରେ ୧୫ଲକ୍ଷ ଟଙ୍କା ଉଠିଯିବା ଫଳରେ ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ଦେହକରି ତାଙ୍କ ପୁଅଙ୍କୁ ଜଣାଇଥିଲେ। ବ୍ରଜରାଜନଗରରେ ରହୁଥିବା ପୁଅ ଘରକୁ ଆସି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ବାପା ଓ ପୁଅ ପୋଲିସରେ ଜଣାଇଥିଲେ। ବଡମାଲ ଥାନା ଆଇଆଇସି ଅମିତାଭ ପଣ୍ଡା ଲକ୍ଷ୍ମୀଧରଙ୍କୁ ଥାନାକୁ ଆଣି ପଚରାଉଚରା କଲା ପରେ ସେ ସତ ମାନିଯାଇଛନ୍ତି। ୧୫ଲକ୍ଷରୁ ସେ ଘରେ ୪.୭ ଲକ୍ଷ ରଖିଥିବାବେଳେ ୪ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରଖିଥିଲେ। ବାକି ଟଙ୍କାରେ ଘରର ବିଭିନ୍ନ ଆସବାପତ୍ର ଓ ଅଳଙ୍କାର କିଣି ଦେଇଥିବା କହିଛନ୍ତି।