ଲଣ୍ଡନ,୧୧।୩: ଲକ୍ଡାଉନ୍ ପରେ ଇଂଲଣ୍ଡର କେତେକ ସହରରେ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ପରେ ଜଣେ ଛାତ୍ରଙ୍କ ହେୟାରଷ୍ଟାଇଲ୍ ଦେଖି ଶିକ୍ଷକ ରାଗି ପାଚି ଲାଲ୍ ହୋଇଯାଇଛନ୍ତି। ୧୫ ବର୍ଷୀୟ ଜ୍ୟାକବ ଲି ଷ୍ଟୋକ୍ସ ସ୍କୁଲ ଖୋଲିବା ପରେ ପଢ଼ିବା ପାଇଁ ଆସିଥିଲେ। ମାତ୍ର ତାଙ୍କ ଅଜବ ହେୟାର ଷ୍ଟାଇଲ୍ ଯୋଗୁ ସେ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଜ୍ୟାକବ ତାଙ୍କ କେଶକୁ ବ୍ଲୁ ଏବଂ ପିଙ୍କ୍ କଲର କରିଛନ୍ତି। ମାତ୍ର ତାଙ୍କର ଏମିତି ହେୟାର ଷ୍ଟାଇଲ୍ ଦେଖି ଶିକ୍ଷକ ରାଗି ଯାଇଥିଲେ। କହିଥିଲେ, ଲଣ୍ଡା ହୋଇଯାଅ ନଚେତ୍ ଏକୁଟିଆ କ୍ଲାସରେ ବସ।
ଜ୍ୟାକବଙ୍କ ଏପରି ହେୟାର ଷ୍ଟାଇଲ୍ ଦେଖି ଶିକ୍ଷକ ତାଙ୍କୁ ଅନ୍ୟ ପିଲାମାନଙ୍କ ସହ ମିଳାମିଶା କରିବାକୁ ବାରଣ କରିଥିଲେ। ଜ୍ୟାକବଙ୍କ ମା’ ଯେତେବେଳେ ଏହି କଥା ଜାଣିଲେ ସେ ଅଡୁଆରେ ପଡ଼ିଥିଲେ। ତାଙ୍କ ମା’ କୁହନ୍ତି ଲକ୍ଡାଉନ ସମୟରେ ଜ୍ୟାକବ ସେଲୁନକୁ ଯାଉ ନ ଥିଲେ। ଶିକ୍ଷକ କହିଛନ୍ତି, କେଶ ଏମିତି ରଙ୍ଗ ନ କରି ଲଣ୍ଡା ବି କରି ପାରିଥାନ୍ତ। ଏଥିରେ ଜ୍ୟାକବଙ୍କ ମା’ ଜେମା ଲିନିଙ୍ଗ୍ କୁହନ୍ତି, ପୁଅ ସ୍କୁଲକୁ ଯିବା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରୁ ଫୋନ୍ ଆସିଥିଲା ଯେ ତୁମ ପୁଅ ସ୍କୁଲରେ ଅନ୍ୟ ପିଲାଙ୍କ ସହ ମିଶି ବସିପାରିବ ନାହିଁ। ତାକୁ ଅଲଗା ବସାଯିବା ପାଇଁ ନିଷ୍ପତ୍ତି ହୋଇଛି।