ଅନ୍‌ଲାଇନ୍‌ ପାଠପଢ଼ା ରିପୋର୍ଟ ଶିକ୍ଷକ ଦେବେ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଗତ ୬ମାସ ମଧ୍ୟରେ ହାଇସ୍କୁଲ୍‌ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଅନ୍‌ଲାଇନରେ କିଭଳି ଓ କେତେ ପାଠ ପଢାଇଛନ୍ତି ତାହାର ରିପୋର୍ଟ ମାଗିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ପାଠପଢ଼ାର ହିସାବ ଦେବାକୁ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଗତ ଲକ୍‌ଡାଉନ୍‌ ଓ ଅନ୍‌ଲକ୍‌ରେ ହେଡ୍‌କ୍ୱାର୍ଟରରେ ରହି ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲେ ମଧ୍ୟ କିଛି ଶିକ୍ଷକ ଏହାକୁ ଗୁରୁତ୍ୱର ସହ ନେଇ ନ ଥିଲେ। ହେଡ୍‌କ୍ୱାର୍ଟରରେ ରହି ନ ଥିଲେ କି ଅନ୍‌ଲାଇନ୍‌ରେ କ୍ଲାସ୍‌ କରି ନ ଥିଲେ। ଏହି ୬ମାସ ମଧ୍ୟରେ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ପୂର୍ଣ୍ଣାଙ୍ଗ ବେତନ ପ୍ରଦାନ କରିଥିଲେ ମଧ୍ୟ ପାଠପଢାରେ କିନ୍ତୁ ସେମାନେ ଢିଲା କରିଥିବା ଅଭିଯୋଗ ଆସିଥିଲା। ସ୍କୁଲ୍‌ ବନ୍ଦ ଥିବାରୁ ଅଧିକାଂଶ ଶିକ୍ଷକ ହେଡ୍‌କ୍ୱାର୍ଟରେ ନ ରହିବାର ବାହାନା ଦେଖାଇଥିଲେ, ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ରାଜ୍ୟ ସରକାର। ତେଣୁ ସେପ୍ଟେମ୍ବର ଶେଷ ସପ୍ତାହରେ କେଉଁ ଶିକ୍ଷୟିତ୍ରୀ ଶିକ୍ଷକ ହେଡ୍‌କ୍ୱାର୍ଟରରେ ନ ଥିଲେ ତାହାର ରିପୋର୍ଟ ମଗାଯାଇଛି। ସେହିଭଳି ଅନ୍‌ଲାଇନ୍‌ରେ କେଉଁ ଶିକ୍ଷକ କେତେ କ୍ଲାସ୍‌ ନେଇଛନ୍ତି ଓ କେଉଁମାନେ ବିଲ୍‌କୁଲ୍‌ କ୍ଲାସ୍‌ କରିନାହାନ୍ତି ସମ୍ପୃକ୍ତ ସ୍କୁଲ୍‌ର ପ୍ରଧାନଶିକ୍ଷକମାନେ ତାହାର ରିପୋର୍ଟ ଦେବେ। ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ପାଠ ପଢାଇଛନ୍ତି କି ନାହିଁ ତାହାର ମଧ୍ୟ ତଥ୍ୟ ରଖିବେ। ଶିକ୍ଷୟିତ୍ରୀ, ଶିକ୍ଷକଙ୍କଠାରୁ ତଥ୍ୟ ସଂଗ୍ରହ କରିବା ପରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରୀଛାତ୍ରଙ୍କୁ ଯୋଗାଯୋଗ କରି ତାହାର ସତ୍ୟାସତ୍ୟ ଯାଞ୍ଚ କରି ତାହାକୁ ନିର୍ଦ୍ଦେଶାଳୟ ନିକଟକୁ ମେଲ୍‌ ଯୋଗେ ପଠାଇବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ରହିଛି। ଅକ୍ଟୋବର ୧୧ ସୁଦ୍ଧା ରିପୋର୍ଟ ପହଞ୍ଚତ୍ବା ପରେ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ତାହାର ସମୀକ୍ଷା କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଜଣାପଡିଛି।

Share