ଗୋବରୀର କୁଶିଆପାଳ-ରାୟପୁର ସେତୁରେ ଲାଖିଛି ଦଳ

ଡେରାବିଶ,୮।୮ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ କ ଅଧୀନ କୁଶିଆପାଳ ଓ ବାରିମୂଳ ପଞ୍ଚାୟତକୁ ସଂଯୋଗ କରୁଥିବା ଗୋବରୀ ସେତୁ ନିକଟରେ ନଦୀ ଭିତରେ ଦଳ ବୋଝେଇ ହୋଇରହିଛି। ଏଥିପାଇଁ ଗୋବରୀ ନଦୀରେ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଇଛି। ଫଳରେ ଉଦ୍‌ବୃତ୍ତ ଜଳ କୁଶିଆପାଳ, ବାରିମୂଳ, କୁରୁଜଙ୍ଗା ଓ ନହଙ୍ଗ ପଞ୍ଚାୟତର ଚାଷ ଜମିରେ ଜମି ରହିଛି। ଏ ନେଇ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକର ଚାଷୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଥିବା ନେଇ କୁଶିଆପାଳର ଚାଷୀ ଶିବ ପ୍ରସାଦ ସାହୁ କହିଛନ୍ତି। ଶିବପ୍ରସାଦଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହରେ ଲଘୁଚାପ ଜନିତ ବର୍ଷା ପାଇଁ ଗୋବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ତେବେ କୁଶିଆପାଳ-ବାରିମୂଳ ସେତୁ ନିକଟରେ ନଦୀରେ ଭାସି ଆସୁଥିବା ଦଳ ଜମାଟ ବାନ୍ଧି ରହିବା ଫଳରେ ଜଳ ନିଷ୍କାସିତ ହୋଇପାରୁନାହିଁ। ଏ ବିଷୟରେ ଡ୍ରେନେଜ୍‌ ବିଭାଗକୁ ଅଭିଯୋଗ କରୁଥିଲେ ମଧ୍ୟ ବିଭାଗ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଥିବା ସାହୁ କହିଛନ୍ତି। ଏହି ନଦୀପାର୍ଶ୍ୱରେ ଥିବା ସମସ୍ତ ଚାଷଜମିଗୁଡ଼ିକରେ ଉଦ୍‌ବୃତ୍ତ ଜଳ ଜମି ରହିବା ଫଳରେ ଚାଷ କାର୍ଯ୍ୟରେ ବ୍ୟାଘାତ ଦେଖା ଦେଇଥିବା ବାରିମୂଳର ପୂର୍ବତନ ସରପଞ୍ଚ ଶୁଦ୍ଧଦେବ ବେହେରା କହିଛନ୍ତି। ତୁରନ୍ତ ଜମାଟ ବାନ୍ଧିଥିବା ଦଳ ଗୁଡ଼ିକୁ ସଫା କରା ନ ଗଲେ ଅଞ୍ଚଳର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ବିଷୟରେ କେନ୍ଦ୍ରାପଡ଼ା ଡ୍ରେନେଜ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବାଙ୍କବିହାରୀ ସାମଲଙ୍କୁ ପଚାରିବାରେ ଦିନେ ଦୁଇଦିନ ମଧ୍ୟରେ ଜମାଟ ବାନ୍ଧି ଥିବା ଦଳଗୁଡ଼ିକୁ ସଫା କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି।

Share