ରଥକାଠ ଅନୁକୂଳ ପାଇଁ ଆଜି ନୟାଗଡ଼ ଯିବ ଟିମ୍‌

ପୁରୀ,୧ା୧(ଅଜିତ ମହାନ୍ତି): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହେଲାଣି। ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ଲାଗି ଜାନୁୟାରୀ ୧ରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍‌ ନୟାଗଡ଼ ଅଭିମୁଖେ ଯାତ୍ରା କରିବ। ଟିମ୍‌ରେ ଶ୍ରୀମନ୍ଦିର ରଥ ତତ୍ତ୍ୱାବଧାରକ, ରଥ ଅମିନ ଓ ଭୋଇ ସର୍ଦ୍ଦାର ପ୍ରମୁଖ ଯାତ୍ରା କରିବେ। ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ପ୍ରଭୃତି ନେଇକରି ଯିବେ। ପରମ୍ପରା ଅନୁଯାୟୀ, ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚି଼ହ୍ନଟ ହୋଇ ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ କରାଯିବ। ପରେ ଆବଶ୍ୟକ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇବ। ରଥ ସଂହିତା ଅନୁଯାୟୀ, ତିନିରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକତା ଥିବାବେଳେ ଗତବର୍ଷର ୫୩ଖଣ୍ଡ କାଠ ବଳକା ରହିଛି। ତେବେ ଟିମ୍‌ ଆବଶ୍ୟକ ମୋଟ ୮୧୨ ଖଣ୍ଡ କାଠ ଚି଼ହ୍ନଟ କରିବ, ଯାହାକୁ ପର୍ଯ୍ୟାୟ କ୍ରମେ ବନବିଭାଗ ପକ୍ଷରୁ କଟାଯାଇ ଶ୍ରୀମନ୍ଦିର ନିକଟକୁ ପଠାଯିବ।

Share