Categories: ଖେଳ

କିଶୋରଙ୍କୁ ହଙ୍ଗେରୀ ଭିଜା ମିଳିଲା

ନୂଆଦିଲ୍ଲୀ, ୧୯।୮ (ପି.ଟି.): ଭାରତୀୟ ଜାଭେଲିନ ତାରକା ଓଡ଼ିଶାର କିଶୋର କୁମାର ଜେନାଙ୍କୁ ହଙ୍ଗେରୀ ଯାତ୍ରା ପାଇଁ ଭିଜା ମିଳିଛି। ଫଳରେ ସେ ଶନିବାରଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବୁଦାପେଷ୍ଟରେ ହେବାକୁଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିପାରିବେ। ଶୁକ୍ରବାର ସକାଳେ ତାଙ୍କ ସହ ସାକ୍ଷାତ୍‌ ପରେ ଭିଜା କ୍ଲିୟର କରି ଦିଆଯାଇଥିବା ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ପରେ କିଶୋର ତାଙ୍କର ଭ୍ରମଣଜନିତ ଦସ୍ତାବିଜ୍‌ ପାଇଥିଲେ। ବୁଧବାର ଭାରତରେ ଅବସ୍ଥାପିତ ହଙ୍ଗେରିଆନ ଦୂତାବାସ ପକ୍ଷରୁ କିଶୋରଙ୍କ ଭିଜା ବାତିଲ କରି ଦିଆଯାଇଥିଲା। କିଶୋରଙ୍କୁ ସମର୍ଥନ କରିବାକୁ ଆଗେଇ ଆସିଥିଲେ ଅଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ଜାଭେଲିନ୍‌ ତାରକା ନୀରଜ ଚୋପ୍ରା। ସେ ଏ କ୍ଷେତ୍ରରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ଜୟଶଙ୍କରଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଥିଲା।
ଗତ ଜୁଲାଇ ୩୦ରେ ଅନୁଷ୍ଠିତ ଶ୍ରୀଲଙ୍କାନ୍‌ ଜାତୀୟ ଚାମ୍ପିୟନଶିପ୍‌ରେ ୨୭ ବର୍ଷୀୟ କିଶୋର କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୮୪.୩୮ ମିଟର ଦୂରକୁ ଜାଭେଲିନ ଥ୍ରୋ କରିଥିଲେ। ଫଳରେ ବିଶ୍ୱ ର଼୍ୟାଙ୍କିଙ୍ଗ ଅନୁସାରେ ତାଙ୍କୁ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ପାଇଁ କୋଟା ମିଳି ଯାଇଥିଲା। ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟର ଶେଷ ତାରିଖ ଥିଲା ଜୁଲାଇ ୩୦। ସେହିଦିନ କିଶୋର ଶ୍ରୀଲଙ୍କାନ୍‌ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ (ଡବ୍ଲ୍ୟୁଏ) ପକ୍ଷରୁ ଅପ୍‌ଡେଟ୍‌ କରାଯାଇଥିବା ‘ରୋଡ୍‌ ଟୁ ବୁଦାପେଷ୍ଟ’ ତାଲିକାରେ କିଶୋର ୩୬ତମ ସ୍ଥାନରେ ରହିଥିଲେ। ଫଳରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୪ ଭାରତୀୟଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ। ନୀରଜ ଓ କିଶୋରଙ୍କ ବ୍ୟତୀତ ଯୋଗ୍ୟତା ପାଇଥିବା ଅନ୍ୟ ଦୁଇ ଭାରତୀୟ ହେଲେ ଡି.ପି. ମନୁ ଓ ରୋହିତ ଯାଦବ। ମାତ୍ର ପରେ କହୁଣିରେ ଅସ୍ତ୍ରୋପଚାର କାରଣରୁ ରୋହିତ ଓହରି ଯାଇଥିଲେ। ଗତ ଜୁନ୍‌ରେ ଅନୁଷ୍ଠିତ ଜାତୀୟ ଆନ୍ତଃ-ରାଜ୍ୟ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ କିଶୋର ରୌପ୍ୟ ପଦକ ପାଇଥିଲେ।

Share