ଭୁବନେଶ୍ୱର, ୬।୪(ବ୍ୟୁରୋ): ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ତାତିରୁ ସାମାନ୍ୟ ତ୍ରାହି ମିଳିଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ଥିବାବେଳେ ଟିଟିଲାଗଡ଼ରେ ୪୦.୮, ବୌଦ୍ଧ ୪୦.୫, ଭବାନୀପାଟଣାରେ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ଏପରି କି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଡେଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ କାମ ନ ଥିଲେ ଅଯଥାରେ ବାହାରକୁ ନ ଯିବା ପାଇଁ ଏବଂ ଯଦି ବାହାରକୁ ଯିବାକୁ ପଡ଼େ ତାହାହେଲେ ପ୍ରାକ୍ ସାବଧାନତା ନେବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ସେହିପରି ମଙ୍ଗଳବାର ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ହୋଇଛି। ମାଲକାନଗିରି, ନବରଙ୍ଗପୁର, କୋରପୁଟ, ରାୟଗଡ଼ା, ମୟୂରଭଞ୍ଜ, କନ୍ଧମାଳ, ଗଜପତି ପ୍ରଭୃତି ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହ ଝଡ଼ତୋଫାନ ହୋଇଥିଲା। ବୁଧବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ର କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି।