ଭୁବନେଶ୍ୱର, ୧୨।୩(ବ୍ୟୁରୋ): ରାଜ୍ୟରେ ଏବେ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିଛି। ଏପରିସ୍ଥିତିରେ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ଜଣାପଡିଛି। ରାଜ୍ୟରେ ଆସନ୍ତା ୧୫ ତାରିଖରୁ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି। ଏଥିଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମା ଝଡ଼ ଆସିଲେ ରାଜ୍ୟ ବାସୀଙ୍କୁ ତାତିରୁ ଆଶ୍ୱସ୍ତି ମିଳିବ। ୧୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।
ସେପଟେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଶନିବାର ମାଲକାନଗିରିରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ବୌଦ୍ଧରେ ୩୭, ଭୁବନେଶ୍ୱରରେ ୩୬.୩, ଅନୁଗୋଳ ୩୬.୧, ଝାରସୁଗୁଡ଼ା ୩୬.୬, ସମ୍ବଲପୁର ୩୬.୫, ତାଳଚେର ୩୬, ଜଗତ୍ସିଂହପୁର ୩୬.୫, ଭଦ୍ରକ ୩୬, ନୟାଗଡ଼ ୩୬, ଖୋର୍ଦ୍ଧା ୩୫.୫, ଢେଙ୍କାନାଳ ୩୫, ଛତ୍ରପୁର ୩୫, ଟିଟିଲାଗଡ଼ ୩୫.୫, ବଲାଙ୍ଗୀର ୩୫.୮, ସୁନ୍ଦରଗଡ଼ ୩୫.୩, କଟକ ୩୫.୬ ଓ ଚାନ୍ଦବାଲିରେ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି।