ଢେଙ୍କାନାଳ ଅଫିସ, ୬।୭: ଢେଙ୍କାନାଳ ସହରସ୍ଥିତ ଏକ ପ୍ରମୁଖ ମନ୍ଦିରର ଜଣେ ପୂଜକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ସନ୍ଧ୍ୟାରେ ଏହା ଜଣାପଡ଼ିବା ପରେ ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିରକୁ ବିଶୋଧନ କରାଯାଇଛି। ଅନ୍ୟ ସେବାୟତ ଓ ପୂଜକଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ଠାକୁରଙ୍କ ନୀତିକାନ୍ତି ଯେପରି ବିଭ୍ରାଟ ନ ହୁଏ ସେଥିଲାଗି ଅନ୍ୟ ପୂଜକଙ୍କୁ ନିୟୋଜିତ କରାଯିବ ବୋଲି ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସୂଚନା ଦେଇଛନ୍ତି।
ଆକ୍ରାନ୍ତ ପୂଜକଙ୍କ ବୟସ ପାଖାପଖି ୭୦ବର୍ଷ ହେବ। ସେ ଏକ ଜଟିଳ ରୋଗରେ ପୀଡ଼ିତ ଥିବାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ। ଚିକିତ୍ସା ପୂର୍ବରୁ ସେଠାରେ ତାଙ୍କର କରୋନା ପରୀକ୍ଷଣ କରାଯାଇଥିବାବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା। ଆକ୍ରାନ୍ତ ପୂଜକ ରଥଯାତ୍ରା ଦିନ ଶ୍ରୀଜୀଉଙ୍କ ପହଣ୍ଡି ପର୍ଯ୍ୟନ୍ତ ମନ୍ଦିର ମୁଖଶାଳା ନିକଟରେ ବସିଥିଲେ। ସେହିପରି ବାହୁଡ଼ାଯାତ୍ରା ଦିନ ସକାଳୁ ମଧ୍ୟାହ୍ନ ୧୨ଟା ଯାଏ ମନ୍ଦିରରେ ଥିଲେ ବୋଲି ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଉପଜିଲାପାଳ କୁହନ୍ତି, ଅସୁସ୍ଥ ପୂଜକ ଉଭୟ ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ଦିନ ଅଳ୍ପ ସମୟ ପାଇଁ ମନ୍ଦିରରେ ଥିଲେ। ସେ ଅସୁସ୍ଥ ଥିବାରୁ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନ ଥିଲା। ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ମନ୍ଦିରକୁ ବିଶୋଧନ କରାଯାଇଛି। ଅନ୍ୟ ପୂଜକ, ସେବାୟତଙ୍କୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବା ଲାଗି କୁହାଯାଇଛି। ପୂଜକ ଜଣକ କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜାଣିବା ପାଇଁ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପରେ ସମସ୍ତଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯିବ। ଠାକୁରଙ୍କ ନୀତିକାନ୍ତି ପାଇଁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍ୟ ପୂଜକଙ୍କୁ ନିୟୋଜିତ କରାଯିବ ବୋଲି ଉପଜିଲାପାଳ କହିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ପୂଜକଙ୍କ ନିକଟ ସମ୍ପର୍କୀୟା ଜଣେ ମହିଳା ଜିଲା ଚିକିତ୍ସାଳୟରେ କାର୍ଯ୍ୟ କରୁଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ବିଶୋଧନ କରାଯାଇଥିବା ସିଡିଏମ୍ଓ ଡା. ସୁଜାତା ମିଶ୍ର ସୂଚନା ଦେଇଛନ୍ତି।