ଗଞ୍ଜାମ,୨୯ା୯(ଡି.ଏନ୍.ଏ.): ଗଞ୍ଜାମ ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନି ବୃଦ୍ଧି ପାଉଥିବା ଜଣାପଡ଼ିଛି। ଗୁରୁବାର ଭୋର୍ରୁ ସହରସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିରରୁ କେହି ଦୁର୍ବୃତ୍ତ କାନ୍ଥ ଭାଙ୍ଗି ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଛି। ଏଥିସହ ସେଠାରେ ଦୁର୍ବୃତ୍ତମାନେ ମଳତ୍ୟାଗ କରିଥିବା ଜଣାପଡ଼ିଛି। ଏନେଇ ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ମହାପାତ୍ର ଗଞ୍ଜାମ ଥାନାରେ ଅଭିଯୋଗ କରିଛନ୍ତି। ସେଠାରେ ମା’ଙ୍କ ନବରାତ୍ର ପୂଜା ହେଉଥିବା ଯୋଗୁ ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ହୋମ କାର୍ଯ୍ୟ ହେଉଥିଲା। ସରିବା ପରେ ସ୍ଥାନୀୟ ଅଞ୍ଚଳର କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇ ଥିବା ଆଲୋଚନା ହେଉଛି।
ପ୍ରକାଶଯୋଗ୍ୟ, ପାଟ୍ରୋଲିଂ ଅଭାବରୁ ଗତ କିଛି ମାସ ହେବ ଚୋରମାନେ ସକ୍ରିୟ ହୋଇଥିବା ସହରରେ ଚର୍ଚ୍ଚା ହେଉଛି। ସହରର ବିଭିନ୍ନ ସ୍ଥାନରୁ ବାରମ୍ବାର ଚୋରି ଯାଉଥିଲେ ମଧ୍ୟ ପୋଲିସ ଏଯାବତ ଗୋଟିଏ ବି ଚୋରି ଘଟଣାର ଟେର୍ ପାଇନି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।