Categories: ଗଞ୍ଜାମ

ଗଞ୍ଜାମରେ ଡିସେମ୍ବର ପହିଲା ଯାଏ ଖୋଲିବନି ମନ୍ଦିର

ଛତ୍ରପୁର,୨ା୧୧(ଡି.ଏନ୍‌.ଏ.)-କେତେକ ଦେଶରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ସଂକ୍ରମିତ ହେଲେ ନିଶ୍ଚିତରୂପେ ଜୀବନ ପ୍ରତି ବିପଦ ଦେଖାଦେଉଛି । ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେଲେ ସମ୍ଭାଳିବା କଷ୍ଟକର ହୋଇପଡିବ। କୋଭିଡ୍‌ ପରିଚାଳନା କରିବା ଦିଗରେ ପୁଣି ସମସ୍ତ ପ୍ରଶାସନିକ ଶକ୍ତି ବିନିଯୋଗ ହେବ। ଯାହାଫଳରେ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବ। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ରୋକିବା ଦିଗରେ ସତର୍କତା ମୁଖ୍ୟ ଆୟୁଧ। ତେଣୁ ଜିଲାବାସୀଙ୍କ ମଧ୍ୟରେ ସତର୍କତା ଏବଂ ସଚେତନତା ସୃଷ୍ଟି କରିବାକୁ ସୋମବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ବ୍ଲକ ଓ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ବେଳେ କହିିଛନ୍ତି।
ଜିଲାପାଳ କେତେକ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଡିସେମ୍ବର ପହିଲା ପର୍ଯ୍ୟନ୍ତ ଜିଲାର କୌଣସି ମନ୍ଦିର ଖୋଲାଯିବ ନାହିଁ। ପିକ୍‌ନିକ ସ୍ପଟଗୁଡ଼ିକରେ ଗହଳିପୂର୍ଣ୍ଣ ଭୋଜି ହେବନି କି ମ୍ୟୁଜିକ୍‌ ବାଜିବନି। ସ୍ବଳ୍ପ ଲୋକ ଯାଇ ପିକ୍‌ନିକ୍‌ ସ୍ପଟର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ତହସିଲଦାରମାନେ ଏହାର ତଦାରଖ କରିବେ। ପିକନିକ ସ୍ପଟରେ କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବା ଜନସାଧାରଣ ଦେଖିଲେ ଜିଲା ପ୍ରଶାସନ ପକ୍ଷରୁ ଜାରି ହେବାକୁ ଥିବା ଏକ ନମ୍ବରକୁ ଫୋନ କରି ଜଣାଇପାରିବେ।