୨୩ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ, ୧୨।୧୨: କରୋନା ଯୋଗୁ ପ୍ରାୟ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଏବେ ଖୋଲିବାକୁ ଯାଉଛି। ଏନେଇ ଶନିବାର ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ ସମ୍ମତି ପ୍ରଦାନ କରିଥିବାବେଳେ ୨ଦିନ ମଧ୍ୟରେ ଏନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାର ଅନୁମତି ଦେବା ପରେ ଆସନ୍ତା ୨୩ତାରିଖରୁ କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲାଯିବା ସହ ଦର୍ଶନ ସୁବିଧା ମିଳିବ। ପ୍ରଥମ ୭ଦିନ ପୁରୀବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦିଆଯିବ। ପରେ ଜାନୁୟାରୀ ୩ତାରିଖରୁ ଜିଲା ବାହାର ଲୋକେ ଦର୍ଶନ କରିପାରିବେ। ତେବେ କୋଭିଡ ରିପୋର୍ଟ ନେଗେଟିଭ ନ ଥିଲେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ଦିଆଯିବ ନାହିଁ। ଏହି ନିୟମ ପୁରୀ ଜିଲା ବାହାର ଦର୍ଶନାର୍ଥୀଙ୍କ ପାଇଁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

Share