ନୂଆଦିଲ୍ଲୀ: ଆମେରିକୀୟ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସ୍ଲା କର୍ନାଟକ ରାଜଧାନୀ ବେଙ୍ଗାଲୁରୁଠାରେ ନିଜର ପ୍ରଥମ ଉପତ୍ାଦନ ୟୁନିଟ୍ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଶନିବାର ଏକ ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ଆମେରିକୀୟ ଫାର୍ମ ଟେସ୍ଲା କର୍ନାଟକରେ ଏକ ଇଲେକ୍ଟ୍ରିକ କାର ଉପତ୍ାଦନ ୟୁନିଟ୍ ଖୋଲିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ତୁମକୁର ଜିଲାରେ ଏକ ଇଣ୍ଡଷ୍ଟ୍ରିଆଲ କରିଡର ନିର୍ମାଣ ହେବ। ଏଥିପାଇଁ ପ୍ରାୟ ୭୭୨୫ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୨.୮ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡିଛି।
ଆମେରିକୀୟ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସ୍ଲା ଗତ ଜାନୁୟାରୀରେ ଭାରତକୁ ଆସିଥିଲା। ସେହି ସମୟରେ ବେଙ୍ଗାଲୁରୁରେ ଏକ କମ୍ପାନୀ ରେଜିଷ୍ଟ୍ରେଶନ କରିଥିଲା। ଗତ ମାସରେ ଟେସ୍ଲା ବେଙ୍ଗାଲୁରୁରେ ନିଜର ସବ୍ସିିଡିଆରି କମ୍ପାନୀ ଟେସ୍ଲା ଇଣ୍ଡିଆ ମୋଟର୍ସ ଏବଂ ଏନର୍ଜି ପ୍ରାଇଭେଟ୍ ଲିମିଟେଡ ନାମରେ ଏକ କମ୍ପାନୀ ରେଜିଷ୍ଟ୍ରେଶନ କରାଇଥିଲା। ଟେସ୍ଲାର ଫାଉଣ୍ଡର ଓ ସିଇଓ ଏଲନ ମସ୍କ ଗତବର୍ଷ ଟୁଇଟର ଜରିଆରେ ସୂଚନା ଦେଇଥିଲେ ଯେ, କମ୍ପାନୀ ୨୦୨୧ ସୁଦ୍ଧା ଭାରତରେ ପ୍ରବେଶ କରିବ। ଟେସ୍ଲା ଭାରତରେ ନିଜର ମଡେଲ ୩ ସେଦାନ କାର ସହ ଏଣ୍ଟ୍ରି କରିବାକୁ ଯୋଜନା କରୁଛି। ଏହି ଇଲେକ୍ଟ୍ରିକ କାରର ଦାମ୍ ପ୍ରାୟ ୬୦ ଲକ୍ଷ ଟଙ୍କା ରହିବ, ଭାରତକୁ ଟେସ୍ଲା ଆସିବା ଖବର ପ୍ରଥମେ କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଦେଇଥିଲେ।
ଗତ ଡିସେମ୍ବରରେ ଗଡ଼କରୀ କହିଥିଲେ ଯେ, ଟେସ୍ଲା ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ନିଜର ୟୁନିଟ୍ ଆରମ୍ଭ କରିବ। ଆଗାମୀ ୫ ବର୍ଷରେ କମ୍ପାନୀ ଦୁନିଆର ସବୁଠାରୁ ବଡ଼ ଇଲେକ୍ଟ୍ରିକ ବାହନ ଉତ୍ପାଦକ ହେବାର କ୍ଷମତା ରଖିଛି।