ନିଜେ ଧରା ଦେଲା ଚୋର

ଢାକା,୨୨।୧୦: ପୋଲିସର କର୍ତ୍ତବ୍ୟ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା। କୌଣସି ଝମେଲା କିମ୍ବା ଗଣ୍ଡଗୋଳରେ ଫସିଥିବା ବ୍ୟକ୍ତି ପ୍ରଥମେ ପୋଲିସର ସହାୟତା ହିଁ ଲୋଡ଼ିଥାନ୍ତି। ଏ ପ୍ରକାର ବ୍ୟବସ୍ଥାର ଫାଇଦା ଉଠାଇବା ଜଣେ ଚୋରଙ୍କ ପ୍ରତି ମହଙ୍ଗା ପଡ଼ିଛି। ଚୋର ଜଣଙ୍କ ଚତୁରତାକୁ ନେଇ ବାଂଲାଦେଶ ଢାକାସ୍ଥିତ ବାରିସାଲରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ୟାସିନ୍‌ ଖାନ୍‌ ନାମକ ଜଣେ ବ୍ୟକ୍ତି ବୁଧବାର ଭୋରବେଳା ବାରିସାଲ ବଜାରରେ ଥିବା ଗୋଟିଏ ସଉଦା ଦୋକାନ ସଟର ଭାଙ୍ଗି ଚୋରି କରିଥିଲେ। ଦୋକାନରୁ ଦାମୀ ସଉଦା ଆଇଟମ୍‌ ସବୁ ଚୋରି କରୁ କରୁ ସକାଳ ହୋଇଯାଇଥିବା ୪୦ ବର୍ଷୀୟ ୟାସିନ୍‌ ଜାଣିବାକୁ ପାଇଥିଲେ।
ଦୋକାନ ଭିତରୁ ଛପି ବାହାରକୁ ଦେଖିଲାବେଳକୁ ବଜାରରେ ଧୀରେ ଧୀରେ ଭିଡ଼ ଜମିବା ଆରମ୍ଭ ହେଉଥିଲା। ବ୍ୟାଗ୍‌ ଭର୍ତ୍ତି ସାମଗ୍ରୀ ଧରି ଦୋକାନରୁ ବାହାରିବା ମାତ୍ରେ ଲୋକେ ତାଙ୍କୁ ଘେରିଯିବେ ଓ ମାଡ଼ ବର୍ଷଣ କରିବେ ବୋଲି ଆଶଙ୍କା କରି ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ୟାସିନ ତୁରନ୍ତ ପୋଲିସ ହେଲ୍ପଲାଇନ୍‌ ନମ୍ବରକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଲେ। ସୂଚନା ପାଇବା ମାତ୍ରେ ପୋଲିସ ଟିମ୍‌ ଉକ୍ତ ଦୋକାନରେ ପହଞ୍ଚି ୟାସିନ୍‌ଙ୍କୁ ନିଜ କଷ୍ଟଡିକୁ ନେଇଥିବା ସ୍ଥାନୀୟ ଥାନାଧିକାରୀ ଅସଦ ଜମାନ କହିଛନ୍ତି। ତେବେ ନିଜ ଚାକିରିକାଳ ଭିତରେ ଏଭଳି ଅଜବ ଘଟଣା ସମ୍ପର୍କରେ ସେ ଶୁଣି ନଥିବା କିମ୍ବା ଏଭଳି କେବେ ଘଟି ନ ଥିବା ସେ କହିଛନ୍ତି। ଗୋଟିଏ ବଡ଼ ବ୍ୟାଗ୍‌ରେ ବହୁ ଦାମୀ ସାମଗ୍ରୀ ୟାସିନ୍‌ ଭର୍ତ୍ତି କରିଥିବାବେଳେ ତାକୁ ନେବାରେ ଅସମର୍ଥ ହୋଇଥିବା ସଉଦା ଦୋକାନ ମାଲିକ ଝୋଣ୍ଡୁ ମିଆ କହିଛନ୍ତି। ୟାସିନ୍‌ ପୋଲିସ ଆଗରେ ସବୁ ସତ କଥା ମାନିଯିବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ବାରିସାଲ ମାର୍କେଟ୍‌ରେ ଥିବା ଆଉ କିଛି ଦୋକାନରୁ ଚୋରି କରିବା ଉଦ୍ଦେଶ୍ୟ ୟାସିନଙ୍କର ଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।

Share