କାର୍‌ରେ ନେଉଥିଲେ ୭ ମେଣ୍ଢା, ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ଚୋର

କଣ୍ଟାପଡ଼ା,୭ା୧୨(ଡି.ଏନ୍‌.ଏ.): କଟକ ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଧିକାଂଶ ଅଞ୍ଚଳରୁ ଛେଳି ମେଣ୍ଢା ଚୋରି ହୋଇ ଆସୁଥିଲା। ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଗତ ରାତିରେ ଓଡି ୦୫ କ୍ୟୁ ୬୩୬୨ ନମ୍ବର ବିଶିଷ୍ଟ ଏକ କାର୍‌ରେ ୫ ଜଣ କଟକ ସଦର ଥାନା ଅନ୍ତର୍ଗତ କୋରକୋରା ପଞ୍ଚାୟତ ଏଟୁଆସାହି ଗ୍ରାମର ସୁଧାକର ବେହେରାଙ୍କ ଗୁହାଳୁ ୭ଟି ମେଣ୍ଢା ନେଇ ନୂଆଗାଁ ଗ୍ରାମର ମନୋରଞ୍ଜନ ବେହେରାଙ୍କ ଗୁହାଳ ଆଗରେ ଛିଡ଼ା ହୋଇଥିଲେ। ସେହି ସମୟରେ ଗୋବିନ୍ଦପୁର ଥାନା ପୋଲିସ ପାଟ୍ରୋଲିଂରେ ଆସୁଥିଲା। ପୋଲିସଙ୍କୁ ଦେଖି ୩ ଜଣ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଦୁଇଜଣଙ୍କ ସହିତ ଗାଡ଼ିକୁ ଗୋବିନ୍ଦପୁର ପୋଲିସ ଜବତ କରି ଥାନାକୁ ନେଇଥିଲା। କାର୍‌ର ନମ୍ବର ପ୍ଲେଟ୍‌ ଉପରେ ବ୍ଲାକଟେପ୍‌ ଲଗାଇ ନମ୍ବର ଓଡି ୦୫କୁ ୬୩୬୨କୁ ଓଡି ୦୫ କ୍ୟୁ ୬୮୬୨ କରିଥିଲେ। କାର୍‌ ଭିତରେ ମେଣ୍ଢା ଥିବାର ଦେଖିବାକୁ ମିଳିଥିଲା। ଗୋବିନ୍ଦପୁର ଥାନା ପୋଲିସକୁ ସଫଳତା ମିଳିଥିବାରୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି।

Share