ବିଜେଡିର ତୃତୀୟ ପ୍ରାର୍ଥୀ ତାଲିକା! ଏହି ପ୍ରାର୍ଥୀଙ୍କ ନାଁରେ ଲାଗିଲା ମୋହର…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ନବୀନ ନିବାସରେ ଭିଡ ସେତିକି ଜମୁଛି। ତେବେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ହୋଲିରେ ବିଜେଡି ୭୨ ପ୍ରାର୍ଥୀଙ୍କୁ ଟିକେଟ୍‌ ଭେଟି ଦେଇଛି। କିନ୍ତୁ ଆହୁରି ୭୫ ଆସନର ତାଲିକା ବାକି ରହିଛି। ଟିକେଟ୍‌ ପାଇଁ ନବୀନ ନିବାସରେ ଭିଡ଼ ଲଗାଉଛନ୍ତି ଆଶାୟୀ । ଯେଉଁମାନେ ଟିକେଟ ପାଇଛନ୍ତି ସେମାନେ ବି ନବୀନଙ୍କୁ ଭେଟି ଆଶୀର୍ବାଦ ନେଇ ନିର୍ବାଚନମଣ୍ଡଳୀ ମୁହାଁ ହେଉଛନ୍ତି ।

କାହାକୁ ଟିକେଟ୍‌ ଦିଆଯିବ ଆଉ କାହାର କଟିବ ଏନେଇ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ତର୍ଜମା କରୁଛନ୍ତ। ନିର୍ବାଚନମଣ୍ଡଳୀ ଆସିଥିବା ଫାଇଲ ଖେଳାଇ ଟିକିନିଖି ତଥ୍ୟର ଅନୁଶୀଳନ କରୁଛନ୍ତି । ସୋସିଆଲ ମିଡ଼ିଆ ଭାଇରାଲ ହେଉଥିବା ଏକ ଫଟୋକୁ ନେଇ ରାଜନୈତିକ ମହଲରେ ରୋଚକ ମୋଡ ନେଇଛି । ଗୋଟିଏ ଚେୟାରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବସିଥିବା ବେଳେ ଅନ୍ୟ ଏକ ଚେୟାରରେ ବସିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଟେବୁଲ ଉପରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଫାଇଲ। କୁହାଯାଉଛି ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ଆସନକୁ ନେଇ ଚାଲିଛି ଅଙ୍କକଷା ।

ନିର୍ବାଚନ ମଣ୍ଡଳୀରେ କେତେ ଆଶାୟୀ ଅଛନ୍ତି, କାହାର ବିଜୟ ସମ୍ଭାବନା ଅଧିକ ଏଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି । ସୁପ୍ରିମୋଙ୍କ ହଁ ଆଉ ନା ଭିତରେ ଅଟକି ରହିଛି ଆଶାୟୀଙ୍କ ଭାଗ୍ୟ । ଏସବୁ ଭିତରେ ନବୀନ ନିବାସକୁ ଛୁଟୁଛି ଆଶାୟୀଙ୍କ ଲମ୍ବା ଲାଇନ। ଦିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ପୂର୍ବରୁ ଦୁଇ ଦିନ ହେବ କିଛି ବିଧାୟକ ଓ କିଛି ପୂର୍ବତନ ବିଧାୟକ ଓ ନୂଆ ଆଶାୟୀଙ୍କୁ ଦେଖିବାକୁ ମିଳିଛି ନବୀନ ନିବାସରେ।

ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରି ସାରିଛି ବିଜେଡି । ଆଉ ବାକି ଥିବା ୭୫ ବିଧାନସଭା ଓ ୬ ଲୋକସଭା ପାଇଁ ନବୀନ ନୀବାସରେ ଅଙ୍କକଷା ଚାଲିଥିବା କୁହାଯାଉଛି। ଖୁବ ଶୀଘ୍ର କିଛି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେଡି ।

ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ପରେ ପ୍ରତିଦିନ ନବୀନ ନିବାସରେ ଲାଇନ ଲଗାଉଛନ୍ତି ବିଜେଡିର ନୂଆ ନେତା । ସୁପ୍ରିମୋଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇ ଫେରୁଛନ୍ତି ନେତା। ତୃଣମୂଳ ସ୍ତରରେ ପ୍ରସ୍ତୁତିରେ ଲାଗିବା ସହ ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଉଛନ୍ତି ସୁପ୍ରିମୋ। ଟିକେଟ ଆଶାରେ ଏବେ ଭୁବନେଶ୍ୱରରେ ଡେରା ପକାଇଛନ୍ତି ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତା। ତେବେ ଚିତ୍ର ସ୍ପଷ୍ଟ ହେବା ପରେ ମଇଦାନରେ ହେବ ଜୋରଦାର ଲଢ଼େଇ ।

Share