ଏସ୍‌ଆଇଙ୍କୁ ମହଙ୍ଗା ପଡିଲା ଥାର୍ଡ଼ ଡିଗ୍ରୀ

ରାଉରକେଲା ଅଫିସ,୧୭।୨: ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍‌ଆଇ ମାନସ ରଞ୍ଜନ ନାୟକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାର ତଦନ୍ତ କରି ରାଉରକେଲା ଏପ୍‌ପି ମୁକେଶ କୁମାର ଭାମୁ ଏସ୍‌ଆଇ ନାୟକଙ୍କୁ ବୁଧବାର ନିଲମ୍ବିତ କରିଛନ୍ତି।
ସୂଚନା ଅନୁସାରେ, ୨୦୨୦ ଡିସେମ୍ବର ୨୬ରେ ଉଦିତନଗର ପୋଲିସ ମୋବାଇଲ ଚୋରି ଅଭିଯୋଗରେ ରାଉରକେଲା ଗୋପବନ୍ଧୁପାଲ୍ଲୀ ଅଞ୍ଚଳର ଜଣେ ନାବାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଥିଲା। ତଦନ୍ତ ସମୟରେ ଏସ୍‌ଆଇ ନାୟକ ଉକ୍ତ ନାବାଳକଙ୍କୁ ବିଦ୍ୟୁତ୍‌ କରେଣ୍ଟ ସହ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ନେଇ ତାଙ୍କ ଜେଜେମା’ ଥାନାରେ ଅଭିଯୋଗ କରିଥିଲେ। ସ୍ଥାନୀୟ ଭାଜପା ନେତ୍ରୀ ପ୍ରମିଳା ଦାଶ ଏ ନେଇ ଶିଶୁମଙ୍ଗଳ କମିଟିକୁ ଅବଗତ କରାଇଥିଲେ। ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନ ପକ୍ଷରୁ ଘଟଣାର ତଦନ୍ତ ଚାଲିଥିଲା। ଅନ୍ୟପକ୍ଷେ ଏହି ଘଟଣାର ତଦନ୍ତ କରି ଫେବୃୟାରୀ ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିଶନ ରାଉରକେଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖନୀୟ, ଗୋପବନ୍ଧୁପାଲ୍ଲୀ ଅଞ୍ଚଳର ଉକ୍ତ ନାବାଳକ ଟିମ୍ବର କଲୋନୀ ଅଞ୍ଚଳରେ ଥିବା ବୈଷ୍ଣୋଦେବୀ ମନ୍ଦିର ରାସ୍ତାରେ ଗୋଟିଏ ମୋବାଇଲ ପାଇଥିଲେ। ମୋବାଇଲ କିପ୍ୟାଡ୍‌ ଲକ୍‌ ଥିବାରୁ ସେ ତାକୁ ଖୋଲିବା ପାଇଁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ ା ତେବେ ଉକ୍ତ ବ୍ୟକ୍ତି ଜଣକ ମୋବାଇଲକୁ ନାବାଳକଙ୍କ ଠାରୁ ୧୫ ଶହ ଟଙ୍କାରେ କିଣି ନେଇଥିଲେ। ମୋବାଇଲ ଚୋରି ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ନାବାଳକଙ୍କୁ ଅଟକ ରଖି ମାଡ଼ ମାରିଥିଲା। ନାବାଳକଙ୍କ ନିକଟରୁ କୌଣସି ତଥ୍ୟ ନ ମିଳିବାରୁ ଡିସେମ୍ବର ୨୭ରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।

Share