ଜଳକାରେ ତୃତୀୟ ବନ୍ୟା

ରୂପସା, ୧୩।୯(ଡି.ଏନ.ଏ.):ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀରେ ସୋମବାର ଚଳିତବର୍ଷର ତୃତୀୟ ଥର ପାଇଁ ବନ୍ୟା ଆସିଛି। ଲଘୁଚାପଜନିତ ଲଗାଣବର୍ଷା ଯୋଗୁ ୫ଶହରୁ ଊଦ୍ଧର୍‌ବ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ବନ୍ୟାକୁ ନେଇ ଚାଷୀକୁଳ ଚିନ୍ତାରେ ଦିନ ବିତାଉଛନ୍ତି। ଜଳକା ନଦୀର ଜଳସ୍ତର ରବିବାରଠାରୁ ବିପଦସଂକେତ ଉପରେ ପ୍ରବାହିତ ହେଉଛି।
ରବିବାର ଅପରାହ୍ନ ୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲା। ନଦୀର ମଥାନୀଠାରେ ବିପଦସଂକେତ ୫.୫୦ ମିଟର ଥିବାବେଳେ ଅପରାହ୍ନ ୪ଟା ସୁଦ୍ଧା ୬ ମିଟରରେ ପ୍ରବାହିତ ହେଉଥିଲା। ରାତି ୯ଟା ସୁଦ୍ଧା ପୁଣି ଜଳସ୍ତର ବୃଦ୍ଧି ହୋଇ ୬.୧୩ ମିଟରରେ ପହଞ୍ଚିଥିଲା। ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ସୋମବାର ଅପରାହ୍ନ ୪ଟା ସୁଦ୍ଧା ୬ଟା ୩୪ମିଟରରେ ଜଳସ୍ତର ପ୍ରବାହିତ ହେଉଥିବା ଜଳସେଚନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ସକାଳେ ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ୧୮ ମି.ମି. ଓ ରସଗୋବିନ୍ଦପୁର ବ୍ଲକରେ ୪୦.୬୦ ମି.ମି. ବର୍ଷା ହୋଇଥିବା ଯୋଗୁ ଜଳସ୍ତର ବୃଦ୍ଧି ଘଟିଛି। ବସ୍ତା ବ୍ଲକର ଗଡ଼ପଦା, ରାଉତପଡ଼ା, ଦୁଧହଂସା, ବାହାର୍ଦ୍ଦା, ମଥାନୀ, କୁଡ଼ିଆ ସମେତ ସଦର ବ୍ଲକର ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତର ୫ଶହ ହେକ୍ଟରରୁ ଊଦ୍ଧର୍‌ବ ଚାଷଜମି ଜଳମଗ୍ନ ରହିଛି।
ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ଜଳସ୍ତର ଅଧିକ ବୃଦ୍ଧି ହୋଇ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଗତ ଅଗଷ୍ଟରେ ଲଗାତାର ଦୁଇଥର ବନ୍ୟା ଯୋଗୁ ବସ୍ତା ବ୍ଲକରେ ପ୍ରାୟ ୧୪ ଶହ ହେକ୍ଟର ଜମିରେ ଖରିଫ ଚାଷ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ବିଭାଗୀୟ ରିପୋର୍ଟରୁ ଜଣାପଡ଼ିଥିଲା। ପୁଣି ବନ୍ୟାରେ ଚାଷ ବ୍ୟାପକ କ୍ଷତି ହେବାର ଆଶଙ୍କାକୁ ନେଇ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତହସିଲଦାର କାର୍ତ୍ତିକ କୁମାର ଦାସ, ବିଡ଼ିଓ ଜ୍ଞାନରଞ୍ଜନ ସାହୁ ଓ ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ମହେଶ୍ୱର ସିଂ ପ୍ରମୁଖ ବନ୍ୟାପ୍ଳାବିତ ଚାଷ ଜମି ପରିଦର୍ଶନ କରିବା ସହ ପରିସ୍ଥିତି ପ୍ରତି ନଜର ରଖିଥିବା ପ୍ରକାଶ କରିଛନ୍ତି।