ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ,୨୬।୪: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଚାଲିଛି । ନୟାଗଡ଼ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ପହଞ୍ଚିଛି। ଏଥିରେ ମୋଟ୍‌ ୧୭ ଖଣ୍ଡ ଅସନ ଓ ଧଉରା କାଠ ରହିଛି । ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ । ପୂର୍ବବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଏବର୍ଷ ଆଉ ୭୯୬ ଖଣ୍ଡ କାଠ ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ପୁରୀରେ ୭୯ ଖଣ୍ଡ କାଠ ପହଞ୍ଚିଥିବା ବେଳେ ଆଉ ୭୧୭ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସିବ। ଶ୍ରୀରାମ ନବମୀଠାରୁ କଟକ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ।