ସମ୍‌ରେ କୋଭାକ୍ସିନର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): କୋଭିଡ୍‌-୧୯ ବିରୋଧରେ ବହୁ ପ୍ରତୀକ୍ଷିତ ‘କୋଭାକ୍ସିନ’ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସ୍ଥାନୀୟ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲରେ ଆରମ୍ଭ ହୋଇଛି। ହସ୍ପିଟାଲର ପ୍ରିଭେଣ୍ଟିଭ ଆଣ୍ଡ୍‌ ଥେରାପ୍ୟୁଟିକ୍‌ କ୍ଲିନିକାଲ ଟ୍ରାଏଲ ୟୁନିଟ୍‌ (ପିଟିସିଟିୟୁ)ରେ ପ୍ରଥମଦିନ ଦୁଇଜଣ ଭଲ୍ୟୁଣ୍ଟିୟରଙ୍କୁ ଏହି ଟିକା ଦିଆଯାଇଥିବା କୋଭାକ୍ସିନ ହ୍ୟୁମାନ ଟ୍ରାଏଲ୍‌ର ପ୍ରିନ୍ସିପାଲ ଇନଭେଷ୍ଟିଗେଟର ପ୍ରଫେସର ଇ. ଭେଙ୍କଟ ରାଓ ଶୁକ୍ରବାର ସୂଚନା ଦେଇଛନ୍ତି।
ପ୍ରଫେସର ରାଓ କହିଛନ୍ତି, କୋଭାକ୍ସିନ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଏହାର ନିରାପତ୍ତା ପ୍ରତି ଧ୍ୟାନ ଦିଆଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହାର ରୋଗ ପ୍ରତିରୋଧକ ଶକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହି ଟିକାର କାର୍ଯ୍ୟକାରିତା ଉପରେ ଦୃଷ୍ଟି ନିବଦ୍ଧ ରହିବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ମନୁଷ୍ୟ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ମନୁଷ୍ୟ ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡିର ସ୍ତର ଉପରେ ଲକ୍ଷ୍ୟ ରଖାଯାଇଥିଲା ଏବଂ ଏହା ଏହି ସଂକ୍ରମଣରୁ ରକ୍ଷା କରିବାକୁ ସମର୍ଥ କି ନୁହେଁ ଏହା ଦେଖାଯାଇଥିଲା। ତୃତୀୟ ପର୍ଯ୍ୟାୟରେ ଏହି ଟିକା ଦିଆଯାଇଥିବା ମନୁଷ୍ୟମାନଙ୍କ ଶରୀରରେ ଏହା ରୋଗକୁ ପ୍ରତିରୋଧ କରିପାରୁଛି କି ନାହିଁ ତାହା ଆକଳନ କରାଯିବ ବୋଲି ସେ କହିଛନ୍ତି। ତେବେ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ଓ ସମୟ ସାପେକ୍ଷ ହେବ। କାରଣ ଆମକୁ ଟିକା ନେଇଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣର ହାର ନିର୍ଦ୍ଧାରଣ କରିବାକୁ ପଡ଼ିବ ଏବଂ ଏହା ସେମାନେ ବାସ କରୁଥିବା ସ୍ଥାନର ଜନସଂଖ୍ୟା ଉପରେ ନିର୍ଭରଶୀଳ ହେବ। ଏଥିନିମନ୍ତେ ଦେଶର ପ୍ରାୟ ୨୫୦୦୦ ଭଲ୍ୟୁଣ୍ଟିୟରଙ୍କୁ ମନୋନୟନ କରାଯାଉଛି। ଏହି ପର୍ଯ୍ୟାୟରେ ପ୍ରତ୍ୟେକ ଭଲ୍ୟୁଣ୍ଟିୟରଙ୍କୁ ୨୮ ଦିନ ଅନ୍ତରରେ ୨ଟି ଡୋଜ୍‌ ଟିକା ଦିଆଯିବ। ମାତ୍ର ଏହାର ଅନୁସନ୍ଧାନ ନିମନ୍ତେ ପ୍ରାୟ ୧୨ ମାସ ସମୟ ଲାଗିବ। ତେବେ ଏହି ସ୍ବଦେଶୀ ଟିକାକୁ ଭାରତ ବାୟୋଟେକ୍‌ ଓ ଇଣ୍ଡିଆନ କାଉନ୍‌ସିଲ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପ୍ରସ୍ତୁତ କରୁଥିବାବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନିମନ୍ତେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ପକ୍ଷରୁ ଅନୁମତି ମିଳିସାରିଛି। ସମ୍‌ ହସ୍ପିଟାଲକୁ ଏହି ପରୀକ୍ଷଣ ନିମନ୍ତେ ଓଡ଼ିଶାର ଏକମାତ୍ର କେନ୍ଦ୍ର ଭାବେ ଆଇସିଏମ୍‌ଆର୍‌ ପକ୍ଷରୁ ମନୋନୀତ କରାଯାଇଛି ବୋଲି ରାଓ କହିଛନ୍ତି।

Share