Categories: ଜାତୀୟ

ପ୍ରସ୍ତାବିତ ୩ ଆଇନର ହିନ୍ଦୀ ନାମ ରହିବ

ନୂଆଦିଲ୍ଲୀ,୨୨ା୧୧: ପ୍ରସ୍ତାବିତ ୩ ଆପରାଧିକ ଆଇନକୁ ଦିଆଯାଇଥିବା ହିନ୍ଦୀ ନାମ ଅସାମ୍ବିଧାନିକ ନୁହେଁ ବୋଲି ମଙ୍ଗଳବାର ଏକ ସଂସଦୀୟ କମିଟି କହିଛି। ଏଥିସହ ଏନେଇ କେତେକ ରାଜନୈତିକ ଦଳ ଓ ସେଗୁଡ଼ିକର ନେତାମାନଙ୍କ ସମାଲୋଚନାକୁ ପ୍ୟାନେଲ ଖଣ୍ଡନ କରିଛି।
ଏମ୍‌ପି ବ୍ରିଜ୍‌ଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବରାଷ୍ଟ୍ର ବ୍ୟାପାର ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଏହା ଉପରେ ସମ୍ବିଧାନ ଅନୁଚ୍ଛେଦ ୩୪୮ର ଅବତାରଣା କରିଛି। କମିଟି କହିଛି, ସୁପ୍ରିମକୋର୍ଟ ଓ ହାଇକୋର୍ଟଗୁଡ଼ିକ ଏବଂ ଆଇନ, ବିଲ୍‌ ଓ ଅନ୍ୟ ଆଇନଗତ ଦସ୍ତାବିଜରେ ଇଂଲିଶ୍‌ ଭାଷା ବ୍ୟବହାର କରାଯିବ। ସଂହିତାର ଅକ୍ଷରଗୁଡ଼ିକ ଇଂଲିଶରେ ରହିବ। ଏହା ୩୪୮କୁ ଉଲ୍ଲଂଘନ କରୁନାହିଁ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ଦେଇଥିବା ଜବାବକୁ ନେଇ କମିଟି ସନ୍ତୁଷ୍ଟ। ଉକ୍ତ ରିପୋର୍ଟ ରାଜ୍ୟ ସଭାରେ ଦାଖଲ କରାଯାଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌-୨୦୨୩), ଭାରତୀୟ ନାଗରି ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ-୨୦୨୩) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ-୨୦୨୩)କୁ ଗତ ଅଗଷ୍ଟ ୧୧ରେ ଲୋକସଭାରେ ଆଗତ କରାଯାଇଥିଲା। ଏହି ପ୍ରସ୍ତାବିତ ଆଇନଗୁଡ଼ିକ ଯଥାକ୍ରମେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି-୧୮୬୦), ଆପରାଧିକ ଦଣ୍ଡ ପ୍ରକ୍ରିୟା (ସିଆର୍‌ପିସି-୧୮୯୮) ଏବଂ ଭାରତୀୟ ସାକ୍ଷ୍ୟ ପ୍ରମାଣ ଆଇନ (ଆଇଇଏ-୧୮୭୨) ପରିବର୍ତ୍ତେ କାର୍ଯ୍ୟକାରୀ ହେବ।
ପ୍ରକାଶ ଯେ, ଉପରୋକ୍ତ ୩ ଆଇନରେ ହିନ୍ଦୀ ନାମ ବ୍ୟବହାର ପଛରେ କେନ୍ଦ୍ର ସରକାରଙ୍କ କି ଯୁକ୍ତି ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ ପ୍ରଶ୍ନ କରିଥିଲେ। ସେହିପରି ତାମିଲନାଡୁର ଶାସକ ଦ୍ରାବିଡ ମୁନେତ୍ରା ଗାଝାଗାମ୍‌ (ଡିଏମ୍‌କେ) ମଧ୍ୟ ଆପରାଧିକ ଆଇନଗୁଡ଼ିକରେ ହିନ୍ଦୀ ନାମ ବ୍ୟବହାରକୁ କଡ଼ା ବିରୋଧ କରିଥିଲା। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଏହାକୁ କେନ୍ଦ୍ରର ଭାଷାଗତ ବିସ୍ତାରବାଦ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ଆଇନଗୁଡ଼ିକର ହିନ୍ଦୀ ନାମକରଣକୁ ମାଡ୍ରାସ୍‌ ବାର୍‌ ଆସୋସିଏଶନ୍‌ ସମ୍ବିଧାନ ବିରୋଧୀ ଆଖ୍ୟା ଦେଇ ଏହା ବିରୋଧରେ ଏକ ପ୍ରସ୍ତାବ ଗୃହୀତ କରିଥିଲା।

Share