ସିଂହାସନ! ଯାହାର ନାଁରୁ ହିଁ ବାରି ହୋଇଯାଏ ତା’ର ମର୍ଯ୍ୟାଦା ଓ ଗୁରୁତ୍ୱ। ଶକ୍ତି, ସାମର୍ଥ୍ୟ ଓ ବୀରତ୍ୱର ପ୍ରତୀକ ଇଏ। ଆଉ ମୂଲ, ଅମୂଲମୂଲ। ଏହା ଏମିତି ଏକ ସ୍ଥାନ, ଯାହା ଉପରେ ଉପବିଷ୍ଟ ହେଉଥିବା ବ୍ୟକ୍ତିଙ୍କୁ ଗଣନା କରାଯାଏ ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ୍। ତେଣୁ ଏହି ଭବ୍ୟ ସିଂହାସନ ସବୁବେଳେ ଆକୃଷ୍ଟ କରିଆସିଛି କ୍ଷମତାଲିପ୍ସୁ ମଣିଷକୁ। ଇତିହାସ ସାକ୍ଷୀ ଅଛି ଏହାର ମୋହରେ ଘଟିଛି କେତେଯେ ଷଡଯନ୍ତ୍ର, କେତେ ଯେ ରକ୍ତପାତ। ଅର୍ଥାତ୍ ସିଂହାସନ ସହ ଜଡିତ ରହିଛି ଇତିହାସର ଅନେକ କଥା। ତେବେ କେବଳ ରାଜା ମହାରାଜା ନୁହନ୍ତି, ଇଶ୍ୱରଙ୍କ ଚଳନ୍ତି ପ୍ରତୀମା ବି ବିରାଜମାନ କରନ୍ତି ଦିବ୍ୟ ସିଂହାସନରେ। ସେଇ ସିଂହାସନର କଥା ଏଥରର ପ୍ରଚ୍ଛଦରେ…
ରତ୍ନ ସିଂହାସନ: ସେ ରାଜା ମହାରାଜା ହୁଅନ୍ତୁ ଅବା ସମ୍ରାଟ, ସମସ୍ତେ ନୁଆଁନ୍ତି ତାଙ୍କ ପାଖରେ ମସ୍ତକ। ସାରା ବିଶ୍ୱ ତାଙ୍କର ସାମ୍ରାଜ୍ୟ ଓ ସବୁ ରାଜାଙ୍କର ସେ ଆରାଧ୍ୟ। ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ଆଉ ସେ ଯେଉଁ ସିଂହାସନ ଉପରେ ଉପବେଶନ କରିଛନ୍ତି, ସେ ହେଉଛି ପୃଥିବୀ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନ, ଯାହାକି ରତ୍ନ ବେଦୀ, ରତ୍ନ ମଣ୍ଡପ, ମହାବେଦୀ ଆଦି ନାମରେ ପରିଚିତ। ଏହି ରତ୍ନ ସିଂହାସନ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଭାସ୍କର ମିଶ୍ର କୁହନ୍ତି, ‘ପବିତ୍ର ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା, ଶ୍ରୀସୁଦର୍ଶନ, ଶ୍ରୀଦେବୀ, ଭୂଦେବୀ ଓ ମାଧବ ଆଦି ସପ୍ତ ବିଗ୍ରହ ବିରାଜିତ ପୂର୍ବକ ଅତ୍ୟନ୍ତ ପ୍ରାଚୀନ ସମୟରୁ ପୂଜିତ ହୋଇ ଆସୁଛନ୍ତି। ଶ୍ରୀମନ୍ଦିରର ଗର୍ଭଗୃହରେ ଅବସ୍ଥିତ କଳାମୁଗୁନି ପଥରରେ ନିର୍ମିତ ରତ୍ନ ସିଂହାସନର ଲମ୍ବ ୧୬ ଫୁଟ, ଓସାର ୧୩ ଫୁଟ ଓ ଉଚ୍ଚତା ୪ ଫୁଟ। ବହୁ ବର୍ଷ ପୂର୍ବେ ଏହି ରତ୍ନବେଦୀରେ ଶ୍ରୀ ଶଙ୍କରାଚାର୍ଯ୍ୟ, ପଦ୍ମପାଦାଚାର୍ଯ୍ୟ, କୁତାମଚଣ୍ଡୀ ପ୍ରଭୃତି ମୂର୍ତ୍ତି ଅଧିଷ୍ଠିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ଉକ୍ତ ମୂର୍ତ୍ତିଗୁଡ଼ିକୁ ଅପସାରଣ କରାଯାଇଥିଲା। ସଂସ୍କୃତ ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ, ବିଷ୍ଣୁଙ୍କ ଶିଳାମୟ ରତ୍ନ ସିଂହାସନ ବା ଅନ୍ତର୍ବେଦୀ ହେଉଛି ପୃଥିବୀର ପବିତ୍ରତମ ସ୍ଥାନ। ଜନଶ୍ରୁତି ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଅଧିଷ୍ଠାନ ରତ୍ନବେଦୀ ଲକ୍ଷେ ଜୀବନ୍ତ ଶାଳଗ୍ରାମ ଉପରେ ପ୍ରତିଷ୍ଠିତ। ଇତିହାସ କହେ, ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ବର୍ତ୍ତମାନର କାରୁକାର୍ଯ୍ୟପୂର୍ଣ୍ଣ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ରତ୍ନ ସିଂହାସନ ଅନେକବାର ବିଧର୍ମୀମାନଙ୍କ ଆକ୍ରମଣରେ ଭାଙ୍ଗିଥିଲା। ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ ୧୩୬୦ଖ୍ରୀ.ରେ ଦିଲ୍ଲୀର ସୁଲତାନ ଫିରୋଜ ତୋଗଲକ, ଗଙ୍ଗବଂଶୀୟ ରାଜା ଭାନୁଦେବଙ୍କ ରାଜତ୍ୱ କାଳରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଠନ କରିଥିଲେ। ସମ୍ଭବତଃ ସେହି ସମୟରେ ରତ୍ନ ସିଂହାସନ ଭାଙ୍ଗି ତିନୋଟିଯାକ ଚକା ସ୍ଥାନଚ୍ୟୁତ ହୋଇ ଯାଇଥିଲା। ଏ ଘଟଣାର ଦୀର୍ଘ କାଳ ପରେ ୧୭୫୧ରେ ଓଡ଼ିଶା ମରହଟ୍ଟା ଶାସନାଧୀନ ହେଲା। ମରହଟ୍ଟାମାନେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲେ। ଏହି ସୁଯୋଗ ଦେଖି ଖୋର୍ଦ୍ଧା ରାଜା ବୀର କିଶୋର ଦେବ ତାଙ୍କ ମାତାଙ୍କ ନିର୍ଦ୍ଦେଶକ୍ରମେ ରତ୍ନ ସିଂହାସନର ଜୀର୍ଣ୍ଣୋଦ୍ଧାର ଓ ମରାମତି କଲେ। ପୂର୍ବରୁ ଓଡ଼ିଶା ମୁସଲମାନ ଶାସନାଧୀନ ଥିଲା। ଆଉ ବହୁବାର ସେମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରୁଥିଲେ। ତେଣୁ ସେ ସମୟର ଗଜପତି ମହାରାଜାମାନେ ଶ୍ରୀମନ୍ଦିର ମରାମତି ପାଇଁ ଧ୍ୟାନ ଦେଉ ନ ଥିଲେ। ରାଜା ବୀର କିଶୋର ଦେବ ରତ୍ନ ସିଂହାସନର ଯେଉଁ ମରାମତି କରିଥିଲେ, ତାହା ହିଁ ବର୍ତ୍ତମାନର ରତ୍ନ ସିଂହାସନ।’
ଗଜପତି ମହାରାଜଙ୍କ ସିଂହାସନ: ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ କୁହନ୍ତି, ଯେଉଁ ସିଂହାସନ ଏବେ ଅଛି ତାକୁ କିଏ ଗଢିଥିଲେ ତା’ର ସଠିକ ତଥ୍ୟ ତ ନାହିଁ। ତେବେ ଏହାକୁ ମୋର ଜେଜେବାପା ଗଜପତି ମହାରାଜ ଶ୍ରୀ ରାମଚନ୍ଦ୍ର ଦେବ ୧୯୨୦-୧୯୩୦ ମସିହା ମଧ୍ୟରେ ତିଆରି କରିଥିବା ଅନୁମାନ କରାଯାଏ। ଏହି ସିଂହାସନ ଅନ୍ୟ ରାଜାଙ୍କ ସିଂହାସନ ଭଳି ନୁହେଁ। ଏହା ଦେଖିବାକୁ ଏକ ବଡ଼ ଖଟୁଲି ବା ଗାଦି ସଦୃଶ। ଏହା ଉପରେ ଗୋଡ ଲମ୍ବାଇ ବସାଯାଇ ନ ଥାଏ, ବରଂ ଚକା ପକାଇ ବସାଯାଏ। ଆମ ପୂର୍ବଜମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ‘ରାଜାଧିରାଜ’ ଓ ନିଜକୁ ‘ସେବକ’ ତଥା ‘ରାଉତ’ ବୋଲି ମଣିଆସିଛନ୍ତି। ତେଣୁ ମହାପ୍ରଭୁଙ୍କୁ ମର୍ଯ୍ୟାଦା ଦେଇ ଏହି ଗାଦି ସଦୃଶ ସିଂହାସନଟି ତିଆରି କରାଯାଇଥିବା ବିଭିନ୍ନ ଶିଳାଲୀପି ଓ ତାମ୍ରପତ୍ରରୁ ପ୍ରମାଣ ମିଳିଛି। ତା’ସହ ଗାଦିଘରେ ସିଂହାସନରେ ବସି ବୈଦିକ ରୀତି ନୀତିରେ ବିଭିନ୍ନ ଧାର୍ମିକ କାର୍ଯ୍ୟ ବି କରିବାକୁ ହୁଏ। ଏହି ସମୟରେ ସାମ୍ନାରେ ଚଳନ୍ତି ପ୍ରତିମାମାନେ ଖଟୁଲିରେ ବିରାଜମାନ କରନ୍ତି। ଇଶ୍ୱରଙ୍କଠାରୁ ଉଚ୍ଚ ସ୍ଥାନରେ ବସିବା ଇଶ୍ୱରଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା। ଖଟୁଲି ସଦୃଶ ସିଂହାସନଟିକୁ ଗଢାଯିବାର ଏହା ବି ଅନ୍ୟ ଏକ କାରଣ ହୋଇପାରେ।’ ଗଜପତି ମହାରାଜଙ୍କ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହନ୍ତି,” ବିଭିନ୍ନ ଖାସ୍
ଅବସର ଯେମିତିକି ସ୍ବଳ୍ପ ସଂଖ୍ୟକ କେତେଜଣ ଗୁରୁତ୍ୱପୂର୍ଣ୍ଣ ବରିଷ୍ଠ ସେବକମାନଙ୍କ ଶାଢ଼ିବନ୍ଧା ଅବସର, ସୁନିଆ, ପୁଷ୍ୟାଭିଷେକ, ନବ କଳେବର, ଷୋଳପୂଜା ଆଦିରେ ଗଜପତି ମହାରାଜ ଏହି ଗାଦିରେ ଉପବିଷ୍ଟ ହୁଅନ୍ତି। ଆଉ ଏହି ସମୟରେ ବୈଦିକ ମନ୍ତ୍ର ପାଠ କରି ମଙ୍ଗଳାର୍ପଣ ସହ ପଇତାଲାଗି ଓ ଦେବାର୍ଚ୍ଚନ କରାଯାଏ। ସେହି ସମୟରେ ତାଙ୍କ ସାମ୍ନାରେ ଏକ ଛୋଟ ଖଟୁଳି ଉପରେ ପଞ୍ଚଦେବତା ବିରାଜମାନ କରନ୍ତି। ଏହି ସିଂହାସନରେ ଗଜପତି ମହାରାଜଙ୍କ ବ୍ୟତୀତ ଆଉ କାହାର ବସିବାର ଅଧିକାର ନ ଥାଏ। ସିଂହାସନ ଅଭିଷେକର ବି ଏକ ସ୍ବତନ୍ତ୍ର ପରମ୍ପରା ଅଛି। ପୂର୍ବ ଗଜପତିଙ୍କ ବିୟୋଗ ପରେ ହିଁ ତାଙ୍କର ଉତ୍ତରଦାୟାଦଙ୍କୁ ଏହି ସିଂହାସନରେ ଅଭିଷିକ୍ତ କରାଯାଏ। ଗଜପତି ମହାରାଜଙ୍କ ସିଂହାସନକୁ ଗାଦି ବୋଲି ବି କୁହାଯାଏ, ଯାହାକି ରୁପାରେ ତିଆରି ଓ ତା’ଉପରେ ସୁନାର ଛାଉଣି ହେବା ସହ ସୁନାର କାରୁକାର୍ଯ୍ୟ ବି କରାଯାଇଛି। ଏଥିରେ ମଖମଲର ଗଦି, ତକିଆ ପଡ଼ିଥାଏ। ଏହି ଗାଦି ଚାରିପଟେ ରୁପା ବାଡ଼ିଥାଏ, ଯାହା ସାହାରାରେ ମହାରାଜଙ୍କ ମସ୍ତକ ଉପରେ ଛତା ସଦୃଶ ସୁନାରୁପା ତାରରେ କାରୁକାର୍ଯ୍ୟ ହୋଇଥିବା ଏକ ସୁନ୍ଦର ଚାନ୍ଦୁଆ ରହିଥାଏ। ଏହି ସିଂହାସନ ଯେଉଁ ସ୍ଥାନରେ ଅଛି, ତାକୁ ‘ଗାଦିଘର’ ବା ‘ଦେବାର୍ଚ୍ଚନ ଘର’ ବୋଲି କୁହାଯାଏ। ସିଂହାସନର ପଛଭାଗରେ ଲତାପତ୍ର, ସିଂହର କାରୁକାର୍ଯ୍ୟ ସହ ମହାରାଜଙ୍କ ରାଜ ପ୍ରତୀକ ବି ଅଛି। “
ପାରଳା ରାଜବଂଶଙ୍କ ସିଂହାସନ: ପାରଳା ଗଜପତି ରାଜବଂଶର ରାଜକାର୍ଯ୍ୟ ଯେତିକି ପ୍ରଜାବତ୍ସଳ, ସେତିକି ନିରାଡ଼ମ୍ବର ରହିଥିଲା। ବରିଷ୍ଠ ବୁଦ୍ଧିଜୀବୀ ଗୁରୁ ଗୌରବ ଗୌରଚନ୍ଦ୍ର ପଣ୍ଡା କୁହନ୍ତି, ”୧୮୦୦ ଶତାବ୍ଦୀ ପୂର୍ବରୁ ରାଜ୍ୟର କାର୍ଯ୍ୟ ରାଜାଙ୍କ ତତ୍ତ୍ୱାବଧାନରେ ଚାଲୁଥିଲା। ହେଲେ ନା ରାଜାଙ୍କର ସ୍ବତନ୍ତ୍ର ଉଆସ ଥିଲା ନା ଥିଲା ସିଂହାସନ! ଏହା ପଛରେ ମୁଖ୍ୟ କାରଣ ଥିଲା ଜମିଦାରି ପ୍ରଥା ଏବଂ ବାରମ୍ବାର ରାଜଧାନୀ ପରିବର୍ତ୍ତନ। ହେଲେ ୧୮୭୦ ବେଳକୁ ଶେଷରେ ପାରଳାଖେମୁଣ୍ଡିକୁ ପାରଳା ରାଜ୍ୟର ରାଜଧାନୀ କରିବା ନିଷ୍ପତ୍ତି ନେଇ ତତ୍କାଳୀନ ପାରଳା ମହାରାଜା ଗୌରଚନ୍ଦ୍ର ଗଜପତି ରାଜଉଆସ ନିର୍ମାଣ କରିଥିଲେ। ସେତେବେଳେ ରାଜାଙ୍କ ସ୍ବତନ୍ତ୍ର ଉଆସ ନ ଥିଲା। ବର୍ତ୍ତମାନର ରାଜଉଆସ ପଛରେ ଥିବା ଢାବାବାଡ଼ରେ ଗୋଟିଏ ଛାତଘର ରହିଥିଲା, ସେଠାରେ ରାଜ ଗୌରଚନ୍ଦ୍ର ଗଜପତି ରହି ରାଜକାର୍ଯ୍ୟ ଚଳାଉଥିଲେ। ହେଲେ ୧୮୮୫ ମସିହାରେ ରାଜଉଆସ କାର୍ଯ୍ୟ ଶେଷ ହୋଇଥିଲା। ସେତେବେଳେ ରାଜଉଆସ ନିର୍ମାଣରେ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହି ସମୟରେ ରାଜାଙ୍କ ସିଂହାସନ ବି ନିର୍ମାଣ କରାଯାଇଥିଲା। କିନ୍ତୁ ଅନ୍ୟାନ୍ୟ ବଡ଼ ବଡ଼ ରାଜାଙ୍କ ଭଳି କୌଣସି ସ୍ବତନ୍ତ୍ର ସିଂହାସନ ନୁହେଁ। କେବଳ ଗୋଟିଏ ସୁନ୍ଦର ଚଉକି ଆକାରର ସିଂହାସନ ନିର୍ମାଣ ହୋଇଥିଲା। ୧୮୯୨ ମସିହାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଜନ୍ମଗ୍ରହଣ କରିଥିଲେ। ପାରଳା ରାଜବଂଶ ରାଜକାର୍ଯ୍ୟକୁ ଯେତିକି ଗୁରୁତ୍ୱ ଦେଉଥିଲେ, ସେତିକି ଗୁରୁତ୍ୱ ସିଂହାସନକୁ ଦେଉ ନ ଥିବା ପାରଳା ରାଜବଂଶ ଉପରେ ଅନୁଧ୍ୟାନ କରୁଥିବା ବୁଦ୍ଧିଜୀବୀ ଓ ଗବେଷକମାନେ ମତପ୍ରକାଶ କରିଛନ୍ତି। ରାଜବଂଶର ପାରମ୍ପରିକ ରୀତିରେ ରାଜ୍ୟାଭିଷେକ କରିଥା’ନ୍ତି ଗଜପତି ପରିବାର। ରାଜାଙ୍କ ବିୟୋଗ ପରେ ତାଙ୍କ ଦାୟାଦ ପରବର୍ତ୍ତୀ ରାଜା ହେବା ପରମ୍ପରା ରହିଛି। ଏହି ନୀତି ଅନୁସାରେ ରାଜାଙ୍କ ବିୟୋଗ ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ରାଜଗୁରୁ ଓ ରାଜପୁରୋହିତ ତାଙ୍କ ଦାୟାଦଙ୍କୁ ନିଜ ଆଦ୍ୟ ଦେବତା ଓ ନିଜ ଇଷ୍ଟ ଦେବତା ରାମସ୍ବାମୀ ଓ ମା’ ମାନିକେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା ହୋମ ଯଜ୍ଞ ପରେ ସିଂହାସନରେ ଅଭିଷିକ୍ତ କରାଇଥା’ନ୍ତି। ଯେଉଁ ଦିନଠାରୁ ରାଜା ଅଭିଷିକ୍ତ ହୁଅନ୍ତି, ସେହି ଦିନଠାରୁ ମା’ ମାନିକେଶ୍ୱରୀଙ୍କ ନିକଟରେ ଅଙ୍କକଷା କାର୍ଯ୍ୟକ୍ରମ କରାଯାଏ। ଜୀବନକାଳ ମଧ୍ୟରେ କେତେ ବର୍ଷ ଶାସନ ଗାଦିରେ ବସିଲେ ତାହା ପ୍ରତି ବର୍ଷ ମହାଷ୍ଟମୀ ସମୟରେ ଅଙ୍କ କଷା କାର୍ଯ୍ୟକ୍ରମ ବେଳେ ନୂତନ ସ୍ବର୍ଣ୍ଣ ଫଳକରେ ଲେଖାଯାଇଥାଏ। ଏହିଭଳି ବଂଶାନୁକ୍ରମିକ ପରମ୍ପରାକୁ ମାନିଚାଲିଛନ୍ତି ପାରଳାର ଗଜପତି ପରିବାର।“
ରଣପୁର ରାଜାଙ୍କ ସିଂହାସନ: ଅତୀତର ରଣପୁର ରାଜବଂଶର ଇତିହାସରୁ ଜଣାପଡ଼େ ଯେ, ରାଜା ଉଦ୍ଧବ ସିଂହ ନରେନ୍ଦ୍ର ୧୪୯୪ ମସିହାଠାରୁ ୧୫୧୭ ମସିହା ପର୍ଯ୍ୟନ୍ତ ରଣପୁର ଗଡ଼ଜାତରେ ରାଜୁତି କରୁଥିଲେ। ସେତେବେଳେ ରାଜା ରଣପୁର ଜଗନ୍ନାଥ ମନ୍ଦିର ନିକଟରେ ୪୬ ଏକର ଜମିରେ ଏକ ବିରାଟ ରାଜପ୍ରାସାଦ ନିର୍ମାଣ କରିଥିଲେ। ରାଜ ଉଆସରେ ରାଜା ବସିବା ପାଇଁ ଏକ ସିଂହାସନ ବି କରିଥିଲେ। ସିଂହାସନଟି ତମ୍ବାରେ ତିଆରି ହୋଇଥିବା ବର୍ତ୍ତମାନର ରାଜା ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ପ୍ରକାଶ କରିଛନ୍ତି। ୧୯୯୭ ମସିହାରେ ଏବେକାର ରାଜାଙ୍କ ପରିବାରର ଲୋକମାନେ ସେହି ସିଂହାସନଟିକୁ କୌଣସି କାରଣବଶତଃ ରଣପୁର ରାଜଉଆସରୁ କଟକକୁ ନେଇଯାଇଥିଲେ। ଯାହାଫଳରେ ରଣପୁର ରାଜବାଟୀରେ ଏବେ ସିଂହାସନଟିକୁ ଆଉ ଦେଖିବାକୁ ମିଳୁନି!
ଧରାକୋଟ ରାଜାଙ୍କ ସିଂହାସନ: ଗବେଷକ ଡ. ବିମଳ ପ୍ରସାଦ ପଟ୍ଟନାୟକ କୁହନ୍ତି, ”ଧରାକୋଟ ରାଜ୍ୟ ୧୪୭୬ଖ୍ରୀ.ରେ ପ୍ରତିଷ୍ଠିତ ହୋଇଥିଲା। ଏହାର ପ୍ରତିଷ୍ଠାତା ଥିଲେ ରାଜା ହାଡୁ ସିଂହ। ଏହାପୂର୍ବରୁ ଧରାକୋଟ, ସୋରଡ଼ା, ଶେରଗଡ, ବଡ଼ଗଡ଼କୁ ନେଇ ଖିଡିସିଙ୍ଗା ରାଜ୍ୟ ଥିଲା। ବର୍ତ୍ତମାନର ରାଜନଅରରେ ଯେଉଁ ହାତୀଦାନ୍ତରେ ତିଆରି ସିଂହାସନ ଅଛି, ତାହା ରାଜା ମଦନମୋହନ ସିଂହଦେଓଙ୍କ ସମୟରେ ନିର୍ମିତ ହୋଇଛି। କାରଣ ରାଜନଅର ମଧ୍ୟ ଏହି ରାଜାଙ୍କ ସମୟରେ ନିର୍ମିତ ହୋଇଥିବା ପ୍ରମାଣ ରହିଛି। ରାଜା ମଦନ ମୋହନଙ୍କ ରାଜତ୍ୱକାଳ ଖ୍ରୀ. ୧୮୯୫-୧୯୩୭ ଖ୍ରୀ. ଥିଲା। ଏହି ସିଂହାସନ ଯେଉଁ ସ୍ଥାନରେ ରହିଛି, ତା’ ତଳଭାଗରେ ଶାଳଗ୍ରାମ ପୋତାଯାଇଛି। ତେଣୁ ସିଂହାସନ ଥିବା ସ୍ଥାନକୁ ଅତି ପବିତ୍ର ସ୍ଥାନ ଭାବେ ବିବେଚନା କରାଯାଏ। ରାଜାମାନେ ସିଂହାସନ ଆରୋହଣ ପୂର୍ବରୁ ପ୍ରତିଦିନ ପଣ୍ଡିତ ଓ ବ୍ରାହ୍ମଣମାନଙ୍କ ଦ୍ୱାରା ଆରତି ହେଉଥିଲେ, ଯାହାକୁ ଦେବାର୍ଚ୍ଚନ କୁହାଯାଉଥିଲା। ରାଜା ସିଂହାସନ ଉପରେ ଉପବେଶନ ସମୟରେ ବାମପାର୍ଶ୍ୱରେ ପଣ୍ଡିତମାନେ ବସି ଆଶୀର୍ବଚନ ଦେଉଥିଲେ ଓ ଡାହାଣ ପାଖରେ କରଣ, କାର୍ଜ୍ୱୀ ଏବଂ ବୟୋଜ୍ୟେଷ୍ଠମାନେ ଉପବେଶନ କରୁଥିଲେ।
ମୟୂର ସିଂହାସନ: ମୋଗଲ ସାମ୍ରାଜ୍ୟର ସୁବର୍ଣ୍ଣ ଯୁଗ କହିଲେ ଶାହାଜାହାନଙ୍କ ଶାସନକାଳକୁ ଧରାଯାଏ। ସେ ଯେବେ ଶାସନଭାର ସମ୍ଭାଳିଥିଲେ, ଏକ ସୁନ୍ଦର ଓ ବହୁ ମୂଲ୍ୟର ସିଂହାସନ ନିର୍ମାଣ କରାଇଥିଲେ। କୁହାଯାଏ, ସପ୍ତଦଶ ଶତାବ୍ଦୀରେ ତିଆରି ଏହି ସିଂହାସନରେ ଯେତିକି ଖର୍ଚ୍ଚ ହୋଇଥିଲା, ସେତିକି ମୂଲ୍ୟରେ ଦୁଇ ଦୁଇଟି ତାଜମହଲ ଗଢ଼ି ହେବ। ଦୀର୍ଘ ୭ ବର୍ଷ ଲାଗିଥିଲା ଏହି ସିଂହାସନର ତିଆରି କାମ ସାରିବା ପାଇଁ। ଏହା ଏକ ଆୟତାକାର ସିଂହାସନ ଥିଲା, ଯାହାର ଲମ୍ବ ୯ ଫୁଟ, ଓସାର ୭.୫ ଫୁଟ ଓ ଉଚ୍ଚତା ୧୫ ଫୁଟ। ସିଂହାସନରେ ଥିବା ଚାରି ଗୋଡ଼ର ଉଚ୍ଚତା ୨ ଫୁଟ ଲେଖଁା ଥିଲା। ତେଣୁ ସିଂହାସନକୁ ଉଠିବା ଲାଗି ତିନୋଟି ପାହାଚ ଥିଲା। ସିଂହାସନଟି ପ୍ରାୟ ୧୧୫୦ କି.ଗ୍ରା ସୁନାରେ ତିଆରି କରାଯାଇଥିଲା। ସେଥିରେ ୧୮୬ କ୍ୟାରେଟ୍ର କୋହିନୁର ହୀରା, ୯୫ କ୍ୟାରେଟ୍ର ଆକବର ଶାହ ହୀରା, ୮୮.୭୭ କ୍ୟାରେଟ୍ର ଶାହ ହୀରା, ୮୩ କ୍ୟାରେଟ୍ର ଜାହାଙ୍ଗୀର ହୀରା ଓ ୩୫୨.୫୦ କ୍ୟାରେଟର ତିମୁର ରୁବି ଖଚିତ ହୋଇଥିଲା। ସିଂହାସନ ଚାରିପଟେ ୨୪ଟି ମୟୂରର କଳାକୃତି ଥିଲା। ଏହାବାଦ୍ ଏକ ବଡ଼ ସୁନାର ମୟୂର ଗମ୍ବୁଜାକାର ସିଂହାସନ ଉପରେ ଥିଲା, ଯାହାର ଛାତିରେ ଏକ ବଡ଼ ରୁବି ଥିଲା। ସେହିଠାରୁ ଏକ ୬୦ କ୍ୟାରେଟ୍ର ମୋତି ଝୁଲି ରହିଥିଲା। ଏହାର ଲାଞ୍ଜରେ ବ୍ଲୁ ଶାଫାୟର ଓ ଅନ୍ୟ ରଙ୍ଗବେରଙ୍ଗର ବହୁମୂଲ୍ୟ ରତ୍ନପଥର ଖଚିତ ହୋଇଥିବାବେଳେ ମୟୂରର ପୂରା ଶରୀରରେ ବହୁମୂଲ୍ୟ ରତ୍ନପଥର ଖଚିତ ଥିଲା। ଏହାବାଦ୍ ୧୦୮ଟି ବଡ଼ ଆକାରର ବାଲା ରୁବି, ୧୧୬ଟି ବଡ଼ ବଡ଼ ରଙ୍ଗିନ୍ ଇମେରାଲ୍ଡ ସିଂହାସନରେ ଖଚିତ ଥିଲା। ଶାହାଜାହାନଙ୍କ ମୃତ୍ୟୁପରେ ତାଙ୍କ ପୁଅ ଔରଙ୍ଗଜେବ ଶାସନ ଭାର ସମ୍ଭାଳିଥିଲେ ଓ ଏହି ସିଂହାସନରେ ଆସୀନ ହୋଇଥିଲେ। ଔରଙ୍ଗଜେବଙ୍କ ମୃତ୍ୟୁପରେ ତାଙ୍କ ପୁଅ ବାହାଦୁର ଶାହ ୧ ଶାସନ କରିଥିଲେ। ତାଙ୍କ ମୃତ୍ୟୁ ପରେ ସାମ୍ରାଜ୍ୟର ପତନ ହେବାକୁ ଲାଗିଲା। ଅନେକ ଦୁର୍ବଳ ଶାସକ କିଛି କିଛି ବର୍ଷ ଶାସନ କଲେ। ଶେଷରେ ମହମ୍ମଦ ଶାହ ଶାସକ ହେଲେ। ତାଙ୍କ ଶାସନ କାଳରେ ୧୭୩୯ରେ ଇରାନର ଶାସକ ନାଦିର ଶାହ ଦିଲ୍ଲୀ ଉପରେ ଆକ୍ରମଣ କରିଥିଲେ। ଆଉ ସେ ମହମ୍ମଦ ଶାହଙ୍କୁ ପରାସ୍ତ କରି ଦିଲ୍ଲୀକୁ ନିଜ ଅଧୀନକୁ ନେଇଗଲେ। ଇରାନ ଫେରିବାବେଳେ ମୟୂର ସିଂହାସନକୁ ନିଜ ବିଜୟର ସନ୍ତକଭାବେ ସାଙ୍ଗରେ ନେଇଯାଇଥିଲେ। ନାଦିର ଶାହ ମୟୂର ସିଂହାସନ ନେଇଯିବା ପରେ ମୋଗଲ ରାଜାମାନଙ୍କ ପାଇଁ ସେଭଳି ଆଉ ଏକ ସିଂହାସନ ତିଆରି କରାଯାଇଥିଲା, ଯାହାକୁ ଦିଲ୍ଲୀର ଦିଓ୍ବାନ-ଇ-ଖାସ୍ରେ ରଖାଯାଇଥିଲା। ଉକ୍ତ ସିଂହାସନ ପ୍ରକୃତ ମୟୂର ସିଂହାସନଠାରୁ ଛୋଟ କିନ୍ତୁ ଦେଖିବାକୁ ଅବିକଳ ମୟୂର ସିଂହାସନ ପରି ଥିଲା। କିନ୍ତୁ ପ୍ରକୃତ ମୟୂର ସିଂହାସନଠାରୁ କମ୍ ମୂଲ୍ୟବାନ୍ ଥିଲା। କୁହାଯାଏ, ପ୍ରକୃତ ମୟୂର ସିଂହାସନ କେମିତି ଥିଲା ତା’ର କିଛି ଚିତ୍ର ନାହିଁ। ଆଉ ଯେଉଁ ଚିତ୍ରଟିକୁ ମୟୂର ସିଂହାସନର ବୋଲି କୁହାଯାଉଛି, ତାହା ହେଉଛି ପରବର୍ତ୍ତୀ ସମୟରେ ନିର୍ମିତ ମୟୂର ସିଂହସନର ଅଟେ; ଯାହାକୁ କି ପ୍ରକୃତ ସିଂହାସନକୁ ଦେଖିଥିବା ଲୋକଙ୍କ ବର୍ଣ୍ଣନାରୁ ନିର୍ମାଣ କରାଯାଇଥିଲା।
ମହୀଶୂରର ସ୍ବର୍ଣ୍ଣ ସିଂହାସନ: ମହୀଶୂର ମହଲର ଦରବାର ହଲ୍ରେ ରଖାଯାଇଥିବା ସ୍ବର୍ଣ୍ଣ ସିଂହାସନ ଓ୍ବାଡିୟାର ରାଜବଂଶର ବହୁମୂଲ୍ୟ ସମ୍ପତ୍ତି ମଧ୍ୟରେ ଅନ୍ୟତମ। ଡିମିରି କାଠରେ ତିଆରି ଉକ୍ତ ସିଂହାସନକୁ କନ୍ନଡରେ ‘ଚିନ୍ନାଦା ସିଂହାସନ’ ଓ ‘ରତ୍ନ ସିଂହାସନ’ ବି କୁହାଯାଏ। ଏହାକୁ ହାତୀଦାନ୍ତ ପଟ୍ଟିକାରେ ସଜ୍ଜାଯାଇଛି। ଏଥିରେ ସୁନା, ରତ୍ନପଥର ଖଚିତ ହେବା ସହ ରୁପାର ପ୍ରତିମୂର୍ତ୍ତି ବି ଅଛି। ଏଥିରେ ସଂସ୍କୃତର ଶ୍ଳୋକ ବି ଖୋଦିତ ହୋଇଛି। ସିଂହାସନର ହାତରେ ଅଧା ହାତୀ, ଅଧା ସିଂହର କଳାକୃତି ଅଛି। ଏହି ସିଂହାସନର ଦକ୍ଷିଣ ଭାଗରେ ବ୍ରହ୍ମା, ଉତ୍ତରରେ ଶିବ, ମଝିଭାଗରେ ବିଷ୍ଣୁଙ୍କ ମୂର୍ତ୍ତି ଅଛି। ବିଜୟର ପ୍ରତୀକଭାବେ ସିଂହର ମୂର୍ତ୍ତି ଅଛି। ସିଂହାସନର ତିନି ଧାରରେ ୨ଟି ଘୋଡ଼ା, ୨ଟି ବାଘ, ୪ଟି ହଂସ ଚିତ୍ର ଖୋଦିତ ହୋଇଛି। ସିଂହାସନ ପଛଭାଗରେ ମହୀଶୂର ରାଜାଙ୍କ ରାଜକୀୟ ପ୍ରତୀକ ରହିଛି। ସିଂହାସନର ଉଚ୍ଚତା ୨.୨୫ ମିଟର। ସିଂହାସନ ଉପରେ ଥିବା ରାଜକୀୟ ଛତା ରତ୍ନ ପଥରରେ ଖଚିତ। ପୌରାଣିକ କଥାନୁସାରେ ଏହି ସିଂହାସନ ପ୍ରଥମେ ମହାଭାରତର ପାଣ୍ଡବମାନଙ୍କର ଥିଲା। କାମପିଲି ରାଜ୍ୟର କାମ୍ପିଲିରାୟ ଏହାକୁ ହସ୍ତିନାପୁରରୁ ପେନୁଗୋଣ୍ଡା (ଯାହାକି ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ଅଛି)କୁ ନେଇ ଆସିଥିଲେ। ଆଉ ମାଟିତଳେ ପୋତି ଦେଇଥିଲେ। ଚତୁର୍ଦ୍ଦଶ ଶତାବ୍ଦୀରେ ବିଜୟନଗର ସଂସ୍ଥାପକଙ୍କ ମଧ୍ୟରୁ ଅନ୍ୟତମ ହରିହର ୧ଙ୍କୁ ବିଜୟନଗର ରାଜାମାନଙ୍କ ନୀତିବକ୍ତା ବିଦ୍ୟାରାନ୍ୟ ସିଂହାସନ ପୋତା ଯାଇଥିବା ସ୍ଥାନ ଦେଖାଇଥିଲେ। ଆଉ ସେ ସିଂହାସନଟିକୁ ସେହି ସ୍ଥାନରୁ ଉଦ୍ଧାର କରି ଆଣିଥିଲେ। ପରେ ଏହି ସିଂହାସନକୁ ବିଜୟନଗରର ରାଜାମାନେ ଆମେଗୋଣ୍ଡିରେ ଦଶବର୍ଷରୁ ଊର୍ଦ୍ଧ୍ୱ ସମୟ ବ୍ୟବହାର କରିଥିଲେ। ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭବେଳକୁ ବିଜୟନଗରର ଗଭର୍ନର ସିଂହାସନକୁ ନେଇ ଯାଇଥିଲେ। ୧୬୦୯ରେ ସେ ଏହାକୁ ରାଜା ଓ୍ବଡେୟାରଙ୍କୁ ଦେଇଥିଲେ। ସେ ୧୬୧୦ରେ ସିଂହାସନ ଆରୋହଣ କରିଥିଲେ। ବର୍ତ୍ତମାନ ଏହି ସିଂହାସନର ବ୍ୟବହାର ଆଧିକାରିକ ସମାହୋର ଓ ପ୍ରସିଦ୍ଧ ବାର୍ଷିକ ଦଶହରା ସମାରୋହ ସମୟରେ ସାଧାରଣ ଜନତାଙ୍କ ପାଇଁ ପ୍ରଦର୍ଶନ କରାଯାଏ।
ତଖତ୍-ଏ-ନିଶାନ: ହାଇଦ୍ରାବାଦର ଚୌମହଲ ପ୍ୟାଲେସ୍ରେ ହାଇଦ୍ରାବାଦର ନିଜାମମାନଙ୍କର ସିଂହାସନ ଏବେବି ଦରବାର ହଲ୍ରେ ପ୍ରଦର୍ଶିତ ହେଉଛି। ଏହା ‘ଖିଲ୍ବତ ମୁବାରକ’ ନାମରେ ବି ପରିଚିତ। ୧୭୨୪-୧୯୪୮ ପର୍ଯ୍ୟନ୍ତ ଏହା ଆସଫ୍ ଜାହି ରାଜବଂଶର ସିଂହାସନ ଥିଲା। ଏହି ସିଂହାସନ ଶୁଦ୍ଧ ମାର୍ବଲ, ଯାହାକି ମହଲର ମଧ୍ୟଭାଗରେ ରହିଛି। ଏଥିରେ କୌଣସି ସୁନା କି ରତ୍ନ ଜଡ଼ିତ ହୋଇ ନାହିଁ। ବେଲ୍ଜିୟମ୍ରୁ ଆସିଥିବା ୧୯ଟି ବିସ୍ମୟକାରୀ ଝୁମର୍ ମଝିରେ ଏହା ରହିଛି।
ରଣଜିତ ସିଂହଙ୍କ ସ୍ବର୍ଣ୍ଣ ସିଂହାସନ: ମହାରାଜା ରଣଜିତ ସିଂହ ଅଷ୍ଟାଦଶ ଶତାବ୍ଦୀର ଶେଷଭାଗରୁ ଊନବିଂଶ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଶିଖ ସାମ୍ରାଜ୍ୟ ଉପରେ ଶାସନ କରିଥିଲେ। ସେ ‘ଶେର୍-ଏ-ପଞ୍ଜାବ’ ଭାବେ ବେଶ୍ ପରିଚିତ ଥିଲେ ଓ ଶିଖ୍ ସାମ୍ରାଜ୍ୟର ପ୍ରଥମ ମହାରାଜା ଥିଲେ। ପ୍ରସିଦ୍ଧ କୋହିନୁର ହୀରା ଓ ତୈମୁର ମାଣିକର ଅଂଶକାଳିକ ମାଲିକ ବି ସେ ଥିଲେ। ରାଜା ରଣଜିତ ସିଂହ ଜଣେ ସାଧାରଣ ବ୍ୟକ୍ତି ଭାବେ ଅଧିକ ପରିଚିତ ଥିଲେ; ଯେ କି ସାଦା ପୋଷାକ ପିନ୍ଧିବା ଓ ଭୂମି ଉପରେ ଅବା ଚେୟାରରେ ବସିବାକୁ ପସନ୍ଦ କରୁଥିଲେ। ତେବେ ତାଙ୍କ ପାଖରେ ଏକ ରାଜକୀୟ ସିଂହାସନ ବି ଥିଲା, ଯାହାର ବ୍ୟବହାର ସେ ରାଜ୍ୟର ଖାସ୍ ଅବସରରେ କରୁଥିଲେ। ୧୮୨୦-୧୮୩୦ ମଧ୍ୟରେ ମୁସ୍ଲିମ ବଣିଆ ହାଫେଜ ମହମ୍ମଦ ମୁଲତାନି ସେହି ସିଂହାସନଟିକୁ ଗଢ଼ିଥିଲେ। ଅଷ୍ଟକୋଣୀୟ ସେହି ସିଂହାସନର ଲମ୍ବ ୩ ଫୁଟ ଓ ଓସାର ବି ପ୍ରାୟ ସେତିକି ହିଁ ଥିଲା। ସୁନାରେ ତିଆରି ଏହି ସିଂହାସନରେ ଅନେକ ବହୁମୂଲ୍ୟ ଅଳଙ୍କାର ଖଚିତ ଥିଲା। ୧୮୪୯ରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ପଞ୍ଜାବ ଉପରେ କବ୍ଜା କରିବା ପରେ ଏଥିରେ ଲାଗିଥିବା ଅଧିକାଂଶ ଗହଣା ଲାହୋରରେ ନିଲାମ କରାଯାଇଥିଲା। ପରେ ଏହାକୁ ଲଣ୍ଡନ ନିଆଯାଇଥିଲା ଓ ୧୮୫୧ର ବିରାଟ ପ୍ରଦର୍ଶନୀରେ ବ୍ରିଟିଶ୍ ସାମ୍ରାଜ୍ୟର ଅନ୍ୟ ବହୁମୂଲ୍ୟ ସାମଗ୍ରୀ ସହ ଏହି ସିଂହାସନକୁ ବି ପ୍ରଦର୍ଶନ କରାଯାଇଥିଲା। ଏବେ ଏହା ଭିକ୍ଟୋରିଆ ଆଣ୍ଡ ଅ୍ଲବର୍ଟ ମ୍ୟୁଜିୟମରେ ପ୍ରଦର୍ଶିତ ହେଉଛି।
ଟିପୁ ସୁଲତାନଙ୍କ ବାଘ ସିଂହାସନ: ସୁଲତାନ ଫତେହ ଅଲ୍ଲି ସାହେବ ଟିପୁ, ବେଶ୍ ପରିଚିତ ଥିଲେ ଟିପୁ ସୁଲତାନ ନାମରେ। ତାଙ୍କୁ ମହୀଶୂରର ବାଘ ବୋଲି ମଧ୍ୟ କୁହାଯାଉଥିଲା। ବ୍ରିଟିଶ ଇଷ୍ଟ୍ ଇଣ୍ଡିଆ କମ୍ପାନୀର ସେ ଥିଲେ ସବୁଠୁ ବଡ଼ ଶତ୍ରୁ। କଳା ସ୍ଥାପତ୍ୟ ପାଇଁ ତାଙ୍କର ଥିଲା ବେଶ୍ ଭଲପାଇବା। ଆଉ ତାଙ୍କର ବାଘ ସିଂହାସନ ଥିଲା ସୁନ୍ଦର କାରୁକାର୍ଯ୍ୟ ଓ ସ୍ଥାପତ୍ୟର ଏକ ଉଦାହରଣ। ସିଂହାସନକୁ ଏଭଳି ତିଆରି କରାଯାଇଥିଲା ଯେ, ଲାଗୁଥିଲା ସତେଯେମିତି ପୂରା ସିଂହାସନଟି ଏକ ବାଘର ପିଠି ଉପରେ ଥିଲା। ଅଷ୍ଟକୋଣୀୟ ଏହି ସିଂହାସନର ଢାଞ୍ଚା କାଠରେ ତିଆରି ହୋଇଥିଲା, ଯାହା ଉପରେ ସୁଦ୍ଧ ସୁନାର ଛାଉଣି ହୋଇଥିଲା। ଆଉ ସେହି ଢାଞ୍ଚାଟି ସୁନା ଛାଉଣି ଏକ କାଠର ବାଘ ପିଠି ଉପରେ ରହିଥିଲା। ତା’ସହ ଆଠଟି ବାଘ ଗୋଡ଼ ଢାଞ୍ଚାର ଆଠ କୋଣରେ ସିଂହାସନକୁ ସନ୍ତୁଳନ ରକ୍ଷା କରି ରଖିଥିଲା। ସେହି ଅଷ୍ଟକୋଣୀୟ ଢାଞ୍ଚା ଉପରେ ୧୦ଟି ସୁନାର ବାଘମୁଣ୍ଡ ବି ରହିଥିଲା। ସେହି ବାଘମୁଣ୍ଡଗୁଡିକ ବହୁମୂଲ୍ୟ ରତ୍ନପଥରରେ ଖଚିତ ହୋଇଥିଲା। ସିଂହାସନ ଉପରେ ଏକ ସୁବର୍ଣ୍ଣ ଛତା ବି ଥିଲା। ସୁନାର ସୂତାରେ ମୋତି ଗୁନ୍ଥା ଯାଇ ତାହାକୁ ସଜ୍ଜାଯାଇଥିଲା। ଏହି ଛତା ଉପରେ ରତ୍ନ ଖଚ୍ଚିତ ସୁନ୍ଦର ହୁମା ଚଢ଼େଇର ସୁନା ପ୍ରତିମୂର୍ତ୍ତି ରହିଥିଲା। ଯାହାର ମୟୂର ପରି ଲମ୍ବା ଲାଞ୍ଜରେ ମୋତି ଓ ରତ୍ନପଥର ଖଚିତ ହୋଇଥିଲା। ୧୭୯୯ରେ ସେରିଙ୍ଗପଟ୍ଟମର ଘେରାବନ୍ଦି ପରେ ଟିପୁ ସୁଲତାନଙ୍କୁ ଇଂରେଜମାନେ ହରାଇଥିଲେ। ଆଉ ତାଙ୍କ ସମ୍ପତ୍ତିକୁ ଇଂରେଜମାନେ ଲୁଟି ନେଇଥିଲେ। ତା’ସହ ତାଙ୍କର ଭବ୍ୟ ବାଘ ସିଂହାସନକୁ ବି ସେମାନେ ଭାଙ୍ଗି ଦେଇଥିଲେ। ଏବେ କେବଳ ସିଂହାସନ ଅଷ୍ଟକୋଣୀୟ ଢାଞ୍ଚା ଉପରେ ଥିବା ସୁନାର ବାଘମୁଣ୍ଡ ଓ ସୁବର୍ଣ୍ଣ ଛତା ଉପରେ ଥିବା ସୁନା ହୁମା ଚଢ଼େଇକୁ ସାଇତି ରଖାଯାଇଛି।
ତ୍ରାବଣକୋରର ହାତୀଦାନ୍ତ ସିଂହାସନ: ୧୭୨୯ରୁ ୧୯୪୯ ମସିହା ପର୍ଯ୍ୟନ୍ତ ତ୍ରାବଣକୋର ଭାରତର ଏକ ରାଜ୍ୟ ଥିଲା, ଯାହାକୁ ପଦ୍ମନାଭପୁରମ୍ର ତ୍ରାବଣକୋର୍ ରାଜପରିବାର ଶାସନ କରୁଥିଲେ। ତ୍ରାବଣକୋର୍ ହାତୀଦାନ୍ତ କାରୁକାର୍ଯ୍ୟ ପାଇଁ ସାରା ଭାରତରେ ବେଶ୍ ପ୍ରସିଦ୍ଧ ଥିଲା। ତ୍ରାବଣକୋର ରାଜବଂଶର ହାତୀଦାନ୍ତରେ ତିଆରି ଏକ ସିଂହାସନ ବି ଥିଲା, ଯାହାକି ବେଶ୍ ପ୍ରସିଦ୍ଧ ଥିଲା। ଏଥିରେ ହୀରା, ମୋତି, ମାଣିକ ଖଚିତ ହୋଇଥିଲା। ଏହାର ଡିଜାଇନ୍ରେ ଉଭୟ ଭାରତୀୟ ଓ ପାଶ୍ଚାତ୍ୟ କଳାର ଛାପ ଦେଖିବାକୁ ମିଳୁଥିଲା। ସିଂହାସନର ଗୋଡ଼ ସିଂହର ପଞ୍ଝା ପରି ହେବାବେଳେ ହାତରେ ଥିଲା ସିଂହର ମୁଣ୍ଡ।
ଛତ୍ରପତି ଶିବାଜୀଙ୍କ ସିଂହାସନ: ୧୬୭୪ ଜୁନ୍ ୬ରେ ଛତ୍ରପତି ଶିବାଜୀ ମରାଠାମାନଙ୍କର ରାଜା ଭାବେ ସିଂହାସନରେ ଅଧିଷ୍ଠିତ ହୋଇଥିଲେ। ସେ ଯେଉଁ ସିଂହାସନରେ ଆସୀନ ହୋଇଥିଲେ, ତାହା ଥିଲା ବହୁ ମୂଲ୍ୟବାନ। ସୁନାରେ ତିଆରି ଏହି ସିଂହାସନରେ ଅନେକ ଦାମୀ ରତ୍ନପଥର ଖଚିତ ହୋଇଥିଲା। କୁହାଯାଏ, ତାଙ୍କ ସୁବର୍ଣ୍ଣ ସିଂହାସନର ଓଜନ ୧୨୮୦ ଟନ୍ ଥିଲା। ସିଂହାସନ ଆରୋହଣର ୬ ବର୍ଷ ପରେ ୧୬୮୦ରେ ଶିବାଜୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁପରେ ତାଙ୍କ ବଡ଼ ପୁଅ ଶାମ୍ଭାଜୀ ରାଜା ହୋଇଥିଲେ। ଆଉ ଶାମ୍ଭାଜୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ସାବତ ଭାଇ ରାଜାରାମ ରାଜା ହୋଇଥିଲେ। ସେହି ସମୟରେ ରାଇଗଡ ଦୁର୍ଗ ଉପରେ ମୋଗଲମାନେ ଆକ୍ରମଣ କରି କବ୍ଜା କରିନେଲ। ଆଉ ରାଜାରାମ ଦକ୍ଷିଣ ଭାରତକୁ ଖସି ପଳାଇଥିଲେ। ସମ୍ରାଟ୍ ଔରଙ୍ଗଜେବ ଶିବାଜୀ ମହାରାଜଙ୍କ ରାଜସିଂହାସନ ବିଷୟରେ ଜାଣିଥିଲେ। ତେଣୁ ତାକୁ ନେବାକୁ ଚାହିଁଥିଲେ। ହେଲେ ରାଜସିଂହାସନଟି ମହଲରେ ନ ଥିଲା।
ଏବେ ନାହିଁ ସେ ରାଜତନ୍ତ୍ର କି ନାହାନ୍ତି ସେ ରାଜା ମହାରାଜା। ହେଲେ ଅଛି ସେଇ ସିଂହାସନ, ଯାହା ଉପରେ ବସି ଦିନେ ପ୍ରବଳପ୍ରତାପୀ ରାଜା ମହାରାଜାମାନେ କରୁଥିଲେ ଶାସନ। ଆଉ ସେଇ ସିଂହାସନ ହିଁ କହେ ଆମ ଗୌରବମୟ ଇତିହାସର କଥା।
– ଶିବାନୀ ମହାନ୍ତି
ତଥ୍ୟ- ସୁକାନ୍ତ ଡାକୁଆ, ବିଷ୍ଣୁ କେଶରୀ ଆଚାର୍ଯ୍ୟ,