ଟିକେଟ୍‌ ଫେରାଇଦେଲେ ବିଜେଡି ଜିଲା ସଭାନେତ୍ରୀ

ନବରଙ୍ଗପୁର,୨୧।୧(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମିଳିଥିବା ଟିକେଟ୍‌ ଫେରାଇ ଦେଇଛନ୍ତି। ତାଙ୍କୁ ପଞ୍ଚାୟତ ନିର୍ବାଚନରେ ବିଜେଡି ପକ୍ଷରୁ ନବରଙ୍ଗପୁର ବ୍ଲକ ଜୋନ(ଖ) ପାଇଁ ଗୁରୁବାର ଟିକଟ ଦିଆଯାଇଥିଲା। ହେଲେ ଭୋଟର ତାଲିକାରେ ତାଙ୍କର ନାମ ନ ଥିବାରୁ ପର୍ଯ୍ୟବେକ୍ଷକ ତୁସାରକାନ୍ତି ବେହେରାଙ୍କୁ ସେ ଫେରାଇ ଦେଇଛନ୍ତି । ତାଙ୍କ ପରିବର୍ତ୍ତେ ପରିଜା ଭତରାଙ୍କୁ ଟିକଟ ଦେବାକୁ ସୁପାରିସ କରିଛନ୍ତି । ସୁପାରିସ ଅନୁସାରେ ପରିଜା ଭତରା ଟିକଟ ପାଇ ଶୁକ୍ରବାର ନବରଙ୍ଗପୁର ଜୋନ(ଖ) ପାଇଁ ନାମାଙ୍କନ ପତ୍ର ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । କଂଗ୍ରେସରୁ ଟିକଟ ପାଇ ମଞ୍ଜୁଳା ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଜିଲାପରିଷଦ ଅଧ୍ୟକ୍ଷା ହୋଇଥିଲେ। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଜିଲାପରିଷଦ ଉପାଧ୍ୟକ୍ଷା ମଧ୍ୟ ହୋଇଥିଲେ। ମଞ୍ଜୁଳା କଂଗ୍ରେସ ପରେ ଭାଜପାରୁ ସାଧାରଣ ନିର୍ବାଚନରେ ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିଥିଲେ । ପରେ ସେ ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ଦଳ ପକ୍ଷରୁ ଟିକଟ ଦିଆଯାଇଥିଲା । ଏ ନେଇ ମଞ୍ଜୁଳା କହିଛନ୍ତି, ପଞ୍ଚାୟତରେ ମୋର ଭୋଟର ତାଲିକାରେ ନାମ ନାହିଁ । ଏହା ଜାଣିବା ପରେ ଟିକଟ ଫେରାଇ ଦେଇ ପରିଜାଙ୍କ ନାମ ସୁପାରିସ କରିଛି। ଏଥି ପାଇଁ କୌଣସି ଦୁଃଖ ନାହିଁ ବୋଲି ସେ କହିଛନ୍ତି।