୧୨ଲକ୍ଷ ଟଙ୍କାରେ ଡିଲ୍‌ ହେଉଥିଲା ବାଘ ଛାଲ,ତା’ପରେ…

ଦେବଗଡ଼,୧୭।୧ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲରୁ ଦେବଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସୋମବାର ଏକ ଚିତାବାଘର ଛାଲ ଜବତ କରିଛି। ଏହା ସହ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବାଘ ଛାଲ ସହ ୨ଟି ଛୁରି ଓ ୫ଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲା ଲହୁଣୀପଡାର ପତି କିଷାନ, ବଣାଇ ଥାନା ଅଞ୍ଚଳର ମୁସ୍ତାକ ଉଦ୍ଦିନ, ମହୁଲପଦା ଥାନା ଜଗତି ଗ୍ରାମର ନିରଞ୍ଜନ ନାଏକ ଓ ଶୁକ୍ର କୋଲ୍‌ହ, ଦେବଗଡ଼ ଥାନା ସିରିଗିଡା ଗ୍ରାମର ଧୀରେନ ନାଏକ।
୧୨ଲକ୍ଷ ଟଙ୍କାରେ ବାଘଛାଲ ବିକ୍ରି ହେଉଥିବା ସମ୍ପର୍କରେ ସୂଚନା ପାଇ ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ ଓ ବାରକୋଟ ପୋଲିସ ଗ୍ରାହକ ବେଶରେ ଯାଇଥିଲେ। ବାଘ ଛାଲ କିଣିବାକୁ ମୂଲଚାଲ କରି ବିକ୍ରି କରିବାକୁ ଆସିଥିବା ଶିକାରୀଙ୍କୁ କାବୁ କରିଥିଲେ। ବାଘ ଛାଲର ଲମ୍ବ ୮ଫୁଟ ହେବ। ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଅଞ୍ଚଳରୁ ୬ଦିନ ପୂର୍ବେ ବାଘ ଶିକାର କରାଯାଇ ଛାଲକୁ ବିକ୍ରି ଲାଗି ଦେବଗଡ଼ ଅଣାଯାଇଥିଲା ବୋଲି ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି।