ବାଲିଗୁଡ଼ା,୨୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ପ୍ରଭାବରେ ଗୁରୁବାରଠାରୁ ବାଲିଗୁଡ଼ା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡ଼ି ରହିଥିବାରୁ ଅଦିନିଆ ବର୍ଷାରେ ଭିଜୁଛି। ଚାଷୀମାନେ ଅମଳ ହୋଇଥିବା ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ୍ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଇତି ରଖୁଥିବା ଦେଖିବାକୁ ମିଳୁଛି। ଯାହା କିଛି ଧାନ ଅମଳ ହୋଇଛି ସରକାରୀ ମଣ୍ଡି ଖୋଲି ନ ଥିବାରୁ ଧାନ କିପରି ବିକ୍ରି କରିବେ ସେଥିପାଇଁ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୨ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଧାନ ଭିଜିବା ସହିତ କ୍ଷେତରେ ପାଣି ଜମିବାରେ ଲାଗିଛି। ଫଳରେ ଧାନ ଗଜା ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଶହଶହ ଏକର ଚାଷ ଜମିରୁ ଏପର୍ଯ୍ୟନ୍ତ ଧାନ କଟା ହୋଇ ପଡ଼ି ରହି ଥିବାରୁ ତାହା କ୍ଷେତରେ ନଷ୍ଟ ହେବାକୁ ବସିଛି। ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଧାନମଣ୍ଡି ଖୋଲିବା ସହ କ୍ଷୟକ୍ଷତି ଯୋଗାଇ ଦେବା ପାଇଁ ଚାଷୀ ମହଲରୁ ଦାବି ହେଉଛି।