ଭୁବନେଶ୍ୱର,୨୬।୯(ବ୍ୟୁରୋ): ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ତିର୍ତ୍ତୋଲବାସୀଙ୍କୁ ଏକ ଭେଟି ଦେଇଛନ୍ତି। ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରାଯିବ। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ୮୮୮.୮୯ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ପାଇଁ ୧୧୮.୫୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସରକାରଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡର ସରିଲା ପରେ ସେତୁ ନିର୍ମାଣ କାମ ଆରମ୍ଭ ହେବ।
ଏହି ସେତୁ ନିର୍ମାଣ କରିବା ଲାଗି ଅଞ୍ଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ଏହି ସେତୁ ନିର୍ମାଣ ହେଲେ ଜିଲାର ବହୁ ପଞ୍ଚାୟତ, ଗ୍ରାମ ଯଥା-ଅଇନ୍ତ, ଗୋପାଳପୁର, କନିମୂଳ, ବିଶନପୁର, ପୋଷାଳ, ବିଜିପୁର, ସରଳପୁର, ତେନ୍ତୁଳିପଡା ଗାଁରେ ବସବାସ କରୁଥିବା ପ୍ରାୟ ୫୦ ହଜାର ଲୋକ ଉପକୃତ ହେବେ। ସରକାର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଉପଲବ୍ଧତ୍ କରି ଉକ୍ତ ଅଞ୍ଚଳର ଗମନାଗମନ, ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି।