ଯାଜପୁର ଅଫିସ/ ବଡ଼ଚଣା,୨୫।୧(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକର ସମିଆଁ, ଶାଳପଡ଼ା, ପାରିଆ, ଦର୍ପଣ, ସିହା, କାଇମାଟିଆ ପ୍ରଭୃତି ପାହାଡ଼ିଆ ଅଣଜଳସେଚିତ ଅଞ୍ଚଳ ଭାବେ ପରିଚିତ। ବର୍ଷା ଦିନରେ ମୁଖ୍ୟ ଫସଲ ଭାବେ ମାଣ୍ଡିଆ, ମକା, ବାଜରା ଚାଷ କରି ଆସୁଥିଲେ। ଏହିକ୍ରମରେ ପ୍ରାୟ ୭/୮ ବର୍ଷ ପୂର୍ବେ ଜିଲାର ୪୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିଲା। ଏଠାରୁ କଟକ ବାଣିଜ୍ୟ କେନ୍ଦ୍ରକୁ ବହୁ ପରିମାଣରେ ମାଣ୍ଡିଆ ରପ୍ତାନି ହେଉଥିଲା। ହେଲେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ମାଣ୍ଡିଆ ଚାଷ କ୍ରମଶଃ ଲୋପ ପାଇବାରେ ଲାଗିଛି।
ମଣିଷର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଦିଗରେ ମାଣ୍ଡିଆ ସହାୟକ ହୋଇଥାଏ। ଗ୍ୟାଷ୍ଟ୍ରିକ, ମଧୁମେହ ସହ ଯାବତୀୟ ପେଟରୋଗ ଏବଂ ଅନ୍ଧାରକଣା ରୋଗରୁ ମୁକ୍ତି ପାଇଁ ଲୋକେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଗ୍ରାମାଞ୍ଚଳ ଲୋକ ବିଶେଷକରି ଶ୍ରମଜୀବୀଙ୍କ ପ୍ରମୁଖ ଖାଦ୍ୟ ଥିଲା ଏହି ଶସ୍ୟ। ଚାଷୀମାନେ ଏହାକୁ ବର୍ଷସାରା ସୁରକ୍ଷିତ ରଖି ଅଭାବ ସମୟରେ ବ୍ୟବହାର କରି ଆସୁଥିଲେ। ଏବେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ସମିଆଁ ଗ୍ରାମର ଚାଷୀ ଜଗବନ୍ଧୁ ବିଶ୍ୱାଳ ଓ ଶାଳପଡ଼ାର ଚୌଧୁରୀ ଲମାଐ କୁହନ୍ତି, ପୂର୍ବରୁ ମାଣ୍ଡିଆ ଚାଷର ବହୁତ ଚାହିଦା ଥିଲା। ଏବେ ହାଇବ୍ରିଡ୍ ବିହନ, ରାସାୟନିକ ସାର ଓ କୀଟନାଶକ ଉପରେ ଚାଷୀ ନିର୍ଭରଶୀଳ। ଏପରିକି ବିଦେଶୀ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରସ୍ତୁତ ମଞ୍ଜିକୁ ନେଇ ଚାଷ କରାଯାଉଛି। ଏହାସାଙ୍ଗକୁ ବାହାରୁ ବଜାରକୁ ହାଇବ୍ରିଡ୍ ମାଣ୍ଡିଆ ଆସୁଥିବାରୁ ଆଉ ଦେଶୀ ମାଣ୍ଡିଆର ଚାହିଦା ରହୁନାହିଁ। ତେଣୁ ଏହାର ଚାଷ ପାଇଁ ଚାଷୀଙ୍କ ଆଗ୍ରହ କମିଯାଉଛି ବୋଲି ସେମାନେ କହିଛନ୍ତି।
ଅଧିକରୁ ଅଧିକ ରାସାୟନିକ ସାରର ବ୍ୟବହାର ଫଳରେ ପର୍ଯ୍ୟାୟକ୍ରମେ ଜମିର ଉର୍ବରତା ନଷ୍ଟ ହେଉଛି। ଫଳରେ ଗୋଟିଏ ଜମିରେ ବିଭିନ୍ନ ଫସଲ ଉପୁଜିବା ସ୍ବପ୍ନ ସଦୃଶ ହେଉଛି। ଏହିକ୍ରମରେ ଅଧିକାଂଶ ଚାଷୀ କେବଳ ଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଦେଶୀ ମାଣ୍ଡିଆ ଫସଲ ହୋଇପାରୁ ନ ଥିବାବେଳେ ବଜାରରେ ଏହି ଶସ୍ୟର ସ୍ଥାନ ନେଇଛି ହାଇବ୍ରିଡ୍ ମାଣ୍ଡିଆ। ପୂର୍ବରୁ ଜୈବିକ ଉପାୟରେ ପ୍ରସ୍ତୁତ ମାଣ୍ଡିଆ ମଣିଷର ସାମଗ୍ରିକ ବିକାଶରେ ପୂର୍ଣ୍ଣ ସହାୟକ ହେଉଥିଲା। ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ମାଣ୍ଡିଆଜାଉ କରି ଲୋକମାନେ ଖାଉଥିଲେ। ଏହି ଖାଦ୍ୟରେ ମଣିଷକୁ କାର୍ବୋହାଇଡ୍ରେଟ୍ସ ମିଳିବା ସହ ପ୍ରଚୁର ପରିମାଣର ଖଣିଜ ଲବଣ, ଭିଟାମିନ ତଥା ବିଭିନ୍ନ ପ୍ରକାର ଏନ୍ଜାଇମ ଓ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ। ଆଗକାଳରେ ଗର୍ଭବତୀ ମହିଳାମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏହି ଖାଦ୍ୟ ବେଶ୍ ଉପଯୋଗୀ ହୋଇ ପାରୁଥିଲା। ଶିଶୁର ମାନସିକ ଓ ଶାରୀରିକ ବିକାଶ ପାଇଁ ମଧ୍ୟ ଏହି ଖାଦ୍ୟ ଅତୀତରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଏବେ ସେଭଳି ପାରମ୍ପରିକ ମାଣ୍ଡିଆ ଖୋଜିଲେ ମିଳୁନାହିଁ। ଏହା ବଦଳରେ ବର୍ତ୍ତମାନ ଆଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଚାଉଳ ବ୍ୟବହାର କରିବା ଫଳରେ ମଣିଷ କେବଳ କାର୍ବୋହାଇଡ୍ରେଟ୍ସ ଖାଦ୍ୟ ପାଉଛି ବୋଲି ପରିବେଶବିତ୍ମାନେ କହୁଛନ୍ତି। ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ନିଜ ସ୍ବାର୍ଥକୁ ଆଖି ଆଗରେ ରଖି ଚକ୍ରାନ୍ତ ଚଳାଇଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି।
ଜିଲା କୃଷି ଅଧିକାରୀ ବିମଳକାନ୍ତି ରପ୍ତାନଙ୍କୁ ପଚାରିବାରୁ ସେ କହିଛନ୍ତି, ଆଧୁନିକତାର ପ୍ରଭାବରେ ମାଣ୍ଡିଆ ଚାଷ ଓ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରିବାରେ ଆନ୍ତରିକତା ହ୍ରାସ ପାଇବାରେ ଲାଗିଛି। ସାରା ରାଜ୍ୟରେ ମାଣ୍ଡିଆ ଚାଷକୁ ଆଉ ଆଗଭଳି ଗୁରୁତ୍ୱ ଦିଆଯାଉନାହିଁ। ଚାହିଦା କମି ଯିବାରୁ ବିହନ ବିକ୍ରୟ କେନ୍ଦ୍ରରେ ପ୍ରାୟ ମାଣ୍ଡିଆ ମିଳୁନାହିଁ।