Categories: ଜାତୀୟ

ପୋଖରୀକୁ ଖସିଲା ଟ୍ରାକ୍ଟର, ୭ ଶିଶୁଙ୍କ ସମେତ ୨୦ରୁ ଅଧିକ ମୃତ

କାସଗଞ୍ଜ,୨୪।୨: ଉତ୍ତରପ୍ରଦେଶର କାସଗଞ୍ଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୧୦ଟା ସମୟରେ ଭକ୍ତଙ୍କ ଭର୍ତ୍ତି ଏକ ଟ୍ରାକ୍ଟର ଟ୍ରଲି ନିୟନ୍ତ୍ରଣ ବାହାରକୁ ଯାଇ ପାଟିଆଲି-ଦରିଆଭଗଞ୍ଜ ରାସ୍ତାରେ ଥିବା ପୋଖରୀରେ ଖସିପଡିଥିଲା। ପୋଖରୀ ଭିତରକୁ ଯିବା ପରେ ଟ୍ରାକ୍ଟର ଟ୍ରଲି ଓଲଟି ପଡିଥିଲା। ଯେଉଁଥିରେ ଅଧିକାଂଶ ଭକ୍ତଙ୍କ ଶଲିଲ ସମାଧି ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଏବଂ ୭ ଶିଶୁ ଅଛନ୍ତି। ବହୁ ଗୁରୁତର ଆହତ ଭକ୍ତଙ୍କୁ ଜିଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ଏବଂ କେତେକଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର କରାଯାଇଛି। ଘଟଣାସ୍ଥଳରୁ ଜିଲା ଡାକ୍ତରଖାନା ପର୍ଯ୍ୟନ୍ତ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଡିଏମ, ଏସପି ଏବଂ ଅନ୍ୟାନ୍ୟ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତକଙ୍କ ପରିବାରରେ ଉତ୍ତେଜନା ଦେଖାଦେଇଛି।
ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଅନେକ ଲୋକ ମୃତକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ପ୍ରଶାସନ ଦ୍ୱାରା ନିଶ୍ଚିତ ହୋଇଛି। ସିଏମଓ ଡକ୍ଟର ରାଜୀବ ଅଗ୍ରୱାଲ କହିଛନ୍ତି ଯେ ପାଟିଆଲିର ସିଏଚସିରେ ୭ଜଣ ଶିଶୁ ଏବଂ ୮ ଜଣ ମହିଳାଙ୍କୁ ମୃତ ଘୋଷଣା କରାଯାଇଛି। ଏହା ସହିତ ଆଉ ୫ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଜିଲା ଡାକ୍ତରଖାନାକୁ ଅଣାଯାଇଥିବା ଅନ୍ୟ ଆହତଙ୍କ ପରୀକ୍ଷା ଚାଲିଛି। ମୃତ୍ୟୁସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି। ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି।

Share