ବାହାରେ ଅଳିଆ ପକାଇବାରୁ ସିଜ୍‌ ହେଲା ଟ୍ରାକ୍ଟର

ଭୁବନେଶ୍ୱର, ୨୮।୨ (ବ୍ୟୁରୋ):ଯେତେ ସଚେତନ କଲେ ବି ସୁଧୁରୁ ନାହାନ୍ତି ଲୋକେ। ଘରୁ ବାହାରୁଥିବା ଓଦା ଓ ଶୁଖିଲା ବର୍ଜ୍ୟକୁ ପୃଥକ୍‌ ପୃଥକ କରି ବିଏମ୍‌ସି ସଫେଇ ଗାଡ଼ିରେ ଦେବା ପାଇଁ ବାରମ୍ବାର କୁହାଯାଉଛି। ଏପରିକି ପ୍ରତିଦିନ ସକାଳୁ ସଫେଇ ଗାଡ଼ି ଗୀତ ବଜାଇ ଓ୍ବାର୍ଡ ଓ୍ବାର୍ଡ ବୁଲି ଅଳିଆ ସଂଗ୍ରହ କରୁଛନ୍ତି। ମାତ୍ର ଏହାସତ୍ତ୍ୱେ ବି କିଛି ଅମାନିଆ ବ୍ୟବସ୍ଥିତ ଢଙ୍ଗରେ ଅଳିଆ ଦେଉ ନାହାନ୍ତି। ଏପରିକି ବିଏମ୍‌ସି ଗାଡ଼ିରେ ଅଳିଆ ନ ଦେଇ ଘରୋଇ ଭାବେ ଗାଡ଼ି ଡକାଇ ଅଳିଆ ଦେଉଥିବା ଜଣା ପଡିଛି। ସୋମବାର ଓ୍ବାର୍ଡ ନଂ ୨ ସ୍ଥିତ ସୁଭଦ୍ରା ଆପାର୍ଟମେଣ୍ଟରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସମ୍ପୃକ୍ତ ଆପାର୍ଟମେଣ୍ଟରୁ ବାହାରିଥିବା ଅଳିଆକୁ ଟ୍ରାକ୍ଟର (ଓଡି ୩୪ ଏଫ୍‌ ୪୫୭୮) ଯୋଗେ ଉଠାଇବା ସହ ସେଗୁଡିକୁ ନେଇ ଖୋଲା ସ୍ଥାନରେ ପକା ଯାଉଥିଲା। ଖବର ପାଇ ବିଏମ୍‌ସି ଉତ୍ତର ଜୋନ୍‌ର ପରିମଳ ଅଧିକାରୀମାନେ ସେଠାରେ ପହଞ୍ଚତ୍ ସମ୍ପୃକ୍ତ ଟ୍ରାକ୍ଟରକୁ ଜବତ୍‌ କରିଛନ୍ତି। ଏ ସମ୍ପର୍କରେ ଉତ୍ତର ଜୋନ୍‌ର ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ କହିଛନ୍ତି, ଆମ ଟିମ୍‌ ଦ୍ୱାରା ସମ୍ପୃକ୍ତ ଟ୍ରାକ୍ଟରକୁ ସିଜ୍‌ କରାଯାଇଛି। ଏଥିସହ କେଉଁ କାରଣ ପାଇଁ ଆପାର୍ଟମେଣ୍ଟ ବାସୀ ଟ୍ରାକ୍ଟରରେ ଅଳିଆ ବାହାରକୁ ଫୋପାଡ଼ିବାକୁ ଦେଲେ ସେ ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ। ଆବଶ୍ୟକ ହେଲେ ଜରିମାନା ଆଦାୟ ହୋଇ ପାରେ। ବିଏମ୍‌ସି ସଫେଇ ଗାଡ଼ି ନିୟମିତ ଘର ଘର ବୁଲି ଅଳିଆ ନେଉଛି। ଏହାବାଦ୍‌ ସଫା ଆପ୍‌ ଜରିଆରେ ସୂଚନା ଦେଲେ ବିଏମ୍‌ସିର ଗାଡ଼ି ଆସି ଘରୁ ଅଳିଆ ନେଇଯିବ। ଏତେ ସୁବିଧା ପରେ ମଧ୍ୟ ସମ୍ପୃକ୍ତ ଆପାର୍ଟମେଣ୍ଟବାସୀ ଏଭଳି କାହିଁକି କରିଛନ୍ତି ସେ ନେଇ ଖବର ନିଆଯିବ ବୋଲି ନନ୍ଦ କହିଛନ୍ତି।

Share