ଆଜି ପ୍ରଦର୍ଶନ ହେବ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର

ଭୁବନେଶ୍ୱର,୨୨।୫(ଶର୍ମିଷ୍ଠା ପାଣିଗ୍ରାହୀ):କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବୁଧବାର ଓଡ଼ିଆ ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର ପ୍ରଦର୍ଶନ ହେବାକୁ ଯାଉଛି। ଅପରାହ୍ନ ୪ଟା ୧୫ରେ ଏହା ପ୍ରଦର୍ଶିତ ହେବ। ପ୍ରଣବ କୁମାର ଆଏଚଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟ୍ରେଲର ‘ଭାରତ ପର୍ବ’ ଦ୍ୱାରା ପ୍ରଦର୍ଶନ ହେବା ପାଇଁ ମନୋନୀତ ହୋଇଛି। ଫେଷ୍ଟିଭାଲ ଉଦ୍‌ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲର ରିଲିଜ୍‌ ପାଇଁ ଫିଲ୍ମ ଟିମ୍‌କୁ ନିମନ୍ତ୍ରଣ କରାଯାଇଛି। ଉଲ୍ଲେଖଯୋଗ୍ୟ, ଯାଜପୁର ଜିଲାର ନନ୍ଦ ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ଭୂମିକାରେ ଯୁବ ଅଭିନେତା ସାଇଶ୍ରେଷ୍ଠ ଦାସ ଅଭିନୟ କରିଛନ୍ତି। ଦୟା, ଆଗାମୀ ଚିନ୍ତା ଏବଂ ସ୍ଥିରତାର ଏକ ଉଦାହରଣ ଭାବେ ନନ୍ଦ ସାର୍‌ ଈଶ୍ବରଙ୍କ ଅନ୍ୟତମ ଉପହାର ଥିଲେ।
୧୦୩ ବର୍ଷ ବୟସରେ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ କରି ଚର୍ଚ୍ଚାକୁ ଆସିଥିଲେ। ଏଭଳି ଜଣେ ପ୍ରେରଣାଦାୟୀ ଓ ନିଃସ୍ବାର୍ଥପର ଶିକ୍ଷକଙ୍କ କାହାଣୀ ନିଶ୍ଚିତ ରୂପେ ଆଦର୍ଶ ରାଷ୍ଟ୍ର ନିର୍ମାଣରେ ଆଗାମୀ ଯୁବପଢ଼ିଙ୍କ ପାଇଁ ବଳିଷ୍ଠ ଉଦାହରଣ ବୋଲି କୁହାଯାଇପାରେ।

Share