ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ଫସିଗଲେ ୧୩ ମତ୍ସ୍ୟଜୀବୀ

ରାଜନଗର,୧୭ା୬(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ କେନ୍ଦ୍ରାପଡ଼ା ଜିଲା ତାଳଚୁଆର ୧୩ ମତ୍ସ୍ୟଜୀବୀ ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ଆଜି ସୁରକ୍ଷିତ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟାରେ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ପାଇ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲେ।

ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। କୋଷ୍ଟଗାର୍ଡ ତଥା ସାମୁଦ୍ରିକ ଥାନା କର୍ମଚାରୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାରିଥିବା ସୂଚନା ମିଳିଛି।

ଏନେଇ ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ଶ୍ରୀକାନ୍ତ ବାରିକ କହିଛନ୍ତି, ଖବର ପାଇ ଆମେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିଥିଲୁ। ଟ୍ରଲରଟି ସମୁଦ୍ରରେ ଗତକାଲି ଅଧା ବୁଡ଼ିଥିବାବେଳେ ଆଜି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ନିଖୋଜ ହୋଇଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

Share