Categories: ଜାତୀୟ

ସାମ୍ନାରୁ ଆସୁଥିଲା ଟ୍ରେନ୍‌, ଟ୍ରାକ୍‌ରେ ଶୋଇପଡିଲେ ବ୍ୟକ୍ତି: ଭିଡିଓ ଦେଖିଲେ…

ମୁମ୍ବାଇ,୩।୧:କଥାରେ ଅଛି, ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ଜନ୍ତୁରାଣ। ଏହି ଉକ୍ତିର ସତ୍ୟତା ନିକଟରେ ପ୍ରମାଣିତ ହୋଇଛି। ଜଣେ ବ୍ୟକ୍ତି ଟ୍ରେନ୍‌ ଆସିବା ଦେଖି ଟ୍ରାକ୍‌ ଉପରେ ଛାତି ରଖି ଶୋଇପଡିଥିଲେ। କିନ୍ତୁ ଟ୍ରେନ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନିଶ୍ଚିତ ମୃତ୍ୟୁ ବର୍ତ୍ତି ଯାଇଛନ୍ତି। ରେଳ ମନ୍ତ୍ରଣାଳୟ ଦ୍ୱାରା ଶେୟାର କରାଯାଇଥିବା ଏଭଳି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।
ସିସିଟିଭି ଫୁଟେଜରେ ଏହା ଦୃଶ୍ୟମାନ ହେଉଛି ଯେ ଜଣେ ବ୍ୟକ୍ତି କିଛି ଇଞ୍ଚ ଦୂରରେ ମୃତ୍ୟୁରୁ ରକ୍ଷା ପାଇଥିଲେ। ଟ୍ରେନ ନିକଟତର ହେବା ମାତ୍ରେ ସେହି ବ୍ୟକ୍ତି ଆସି ଟ୍ରାକରେ ଶୋଇଥିଲେ। ଲୋକୋ ପାଇଲଟ ଜରୁରୀକାଳୀନ ବ୍ରେକ ଟାଣିବା ପରେ ଟ୍ରେନ ତୁରନ୍ତ ଟ୍ରାକରେ ଅଟକି ଯାଇଥିଲା ଏବଂ ସାଂଘାତିକ ଦୁର୍ଘଟଣା ଘଟି ନ ଥିଲା। କିଛି ଆରପିଏଫ କର୍ମଚାରୀ ନିରାପତ୍ତା ପାଇଁ ଉକ୍ତ ବ୍ୟକ୍ତିଙ୍କ ଆଡକୁ ଦୌଡୁଥିବା ଦେଖିବାକୁ ମିଳେ। ଫୁଟେଜରେ ଦେଖାଯାଇଥିବା ସମୟ ଅନୁଯାୟୀ, ଘଟଣାଟି ପ୍ରାୟ ୧୧:୪୫ ସମୟରେ ଘଟିଥିଲା। ଏହି ଭିଡିଓ ମୁମ୍ବାଇର ଶିବଡି ଷ୍ଟେଶନରୁ ଆସିଛି।
ରେଳ ମନ୍ତ୍ରଣାଳୟ ଭିଡିଓର କ୍ୟାପସନରେ ଲେଖିଛି, ମୋଟରମ୍ୟାନଙ୍କ ଦ୍ୱାରା କରାଯାଇଥିବା ପ୍ରଶଂସନୀୟ କାର୍ଯ୍ୟ: ମୁମ୍ବାଇର ଶିବଡି ଷ୍ଟେଶନରେ ମୋଟରମ୍ୟାନ ଜଣେ ବ୍ୟକ୍ତିଙ୍କୁ ଟ୍ରାକରେ ପଡ଼ିଥିବାର ଦେଖି ସେ ତୁରନ୍ତ ଜରୁରୀକାଳୀନ ବ୍ରେକ ଲଗାଇ ସେହି ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଥିଲେ। ତୁମର ଜୀବନ ମୂଲ୍ୟବାନ, କେହି ଜଣେ ତୁମକୁ ଘରେ ଅପେକ୍ଷା କରିଛି। ଏହି ଭିଡିଓକୁ ଏକ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ୬ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବାବେଳେ ପ୍ରାୟ ୯୦୦ ଲୋକ ରିଟୁଇଟ କରିଛନ୍ତି।

Share