Categories: ଜାତୀୟ

ଯାତ୍ରୀଙ୍କୁ ନେବା ଲାଗି ୧ କି.ମି.ପଛକୁ ଫେରିଲା ଟ୍ରେନ୍‌

କୋଚି, ୨୨ା୫: କେରଳରେ ୧୯୯୫ର ବ୍ଲକ୍‌ବଷ୍ଟର ଫିଲ୍ମ ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ’ ସିନ୍‌ର ପୁନବରାବୃତ୍ତି ହୋଇଛି। ଏକ ବିରଳ ଘଟଣାକ୍ରମରେ ଶୋରାନୁର ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ ଏକ ଛୋଟ ଷ୍ଟେଶନକୁ ଅତିକ୍ରମ କରିଯିବା ପରେ ଡ୍ରାଇଭର ଜାଣିପାରିଥିଲେ। ସେ ଉକ୍ତ ଷ୍ଟେଶନରୁ ଯାତ୍ରୀମାନଙ୍କୁ ନେବା ଲାଗି ଟ୍ରେନ୍‌କୁ ପାଖାପାଖି ଗୋଟିଏ କିଲୋମିଟର ପଛକୁ ଫେରାଇଥିଲେ। ଅବଶ୍ୟ ଆଲପୁଝାର ଚେରିୟାନଡ ଷ୍ଟେଶନରେ ୧୯୯୫ ଚଳଚ୍ଚତ୍ରର ରାଜ ଏବଂ ସିମ୍‌ରନଙ୍କ ଭଳି ପ୍ରେମୀଯୁଗଳ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଟ୍ରେନ୍‌ଟି ଗ୍ରାମାଞ୍ଚଳର ଏକ ଷ୍ଟେଶନକୁ ଅତିକ୍ରମ କରିଯିବା ଓ ଯାତ୍ରୀଙ୍କୁ ଉଠାଇବା ପାଇଁ ପୁଣିଥରେ ପଛକୁ ଫେରିବା ‘ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗେ’ ନାଟକୀୟ ଦୃଶ୍ୟଠାରୁ କମ୍‌ ନ ଥିଲା। ଥିରୁଭାନନ୍ତପୁରମ୍‌ରୁ ଯାଉଥିବା ୧୬୩୦୨ ଭେନାଦ ଏକ୍ସପ୍ରେସ୍‌ ସକାଳ ୭ଟା ୪୫ରେ ଚେରିୟାନଡ୍‌ ଷ୍ଟେଶନ ନିକଟରେ ପହଞ୍ଚତ୍ଥିବାବେଳେ ଏହା ଏକ ହଲ୍ଟ ଷ୍ଟେଶନ ହୋଇଥିବାରୁ କୌଣସି ସିଗ୍‌ନାଲ ନ ଥିଲା। ହୁଏତ ଡ୍ରାଇଭରଙ୍କ ଭୁଲ୍‌ କାରଣରୁ ଟ୍ରେନ୍‌ କିଛି ବାଟ ଅତିକ୍ରମ କରିଯିବା ପରେ ସେ ଏକ ଷ୍ଟେଶନକୁ ଛାଡ଼ିଆସିଥିବା ଜାଣିବାକୁ ପାଇଥିଲେ। ଫଳରେ ଯାତ୍ରୀଙ୍କୁ ନେବା ଲାଗି ସେ ଟ୍ରେନ୍‌କୁ ପଛକୁ ଫେରାଇଥିଲେ।

Share