ବାତ୍ୟା ପୂର୍ବରୁ ବୁଡିଲା ଟ୍ରଲର, ଥିଲେ ୧୦ ମତ୍ସଜୀବୀ…

ଭଦ୍ରକ,୨୨।୧୦: ବୈତରଣୀ ମୁହାଁଣରେ ବୁଡିଲା ମାଛଧରା ଟ୍ରଲର। ଟ୍ରଲର ବୁଡିଲେ ମଧ୍ୟ ଅଳ୍ପକେ ବର୍ତ୍ତିଛନ୍ତି ମତ୍ସଜୀବୀ। ଉପକୂଳକୁ ଫେରିବା ସମୟରେ ଧାମରା ବନ୍ଦର ନିକଟରେ ମାଛଧରା ଟ୍ରଲର ବୁଡି ଯାଇଛି। ଏଥିରେ ଥିବା ୧୦ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମେରାଇନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିଛି। ସମୁଦ୍ରରୁ ଫେରିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଓଲଟି ପଡିଥିଲା ଟ୍ରଲର।

ମାଡି ଆସୁଛି ବାତ୍ୟା ଦାନା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି। ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗ ମୁହାଁ ହେବ। ଆସନ୍ତାକାଲି ଅର୍ଥାତ ୨୩ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ସମ୍ଭାବ୍ୟ ବାତ୍ୟା ପ୍ରବାହରେ ଆଜି ଓ ଉପକୂଳରେ ଘଣ୍ଟାପ୍ରତି ୪୪ରୁ ୫୫ କିମି ବେଗରେ ପବନ ବହିବ। ସମ୍ଭାବ୍ୟ ବାତ୍ୟାଟି ଗଭୀର ଅବପାତରେ ପରିଣତ ହେବା ପରେ ଓ ଉପକୂଳରେ ପବନର ବେଗ ବଢିବ ବୋଲି ଜଣାପଡିଛି। ଗଭୀର ଅବପାତ ପରେ ଆସନ୍ତାକାଲି ବାତ୍ୟାର ରୂପ ନେବ ଏବଂ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିମି ରହିବ। ୨୪ ତାରିଖ ସକାଳେ ଭୀଷଣ ବାତ୍ୟାର ରୂପ ନେବାପରେ ପବନର ବେଗ ବଢିବ। ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ।

ସମ୍ଭାବ୍ୟ ବାତ୍ୟା ଉପକୂଳ ଅତିକ୍ରମ କରିବାବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହାପରେ ଲ୍ୟାଣ୍ଡଫଲ କରିବା ପରେ ୨୫ ତାରିଖ ସକାଳେ ଓଡ଼ିଶା ଉପକୂଳରେ ପବନର ବେଗ କମିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ୮୫ କିମି ରହିବ।

Share