ବାପାଙ୍କ କୋକେଇ ସଜଡ଼ା ଯାଉଥିବା ବେଳେ ଗଛଡାଳ ପଡ଼ି ଚାଲିଗଲା ପୁଅଙ୍କ ଜୀବନ

କୋରାପୁଟ,୬ା୧୨(ଅମିତାଭ ବେହେରା): କଥାରେ ଅଛି, ଦୁଃଖ ଯେତେବେଳେ ଆସେ ସାଙ୍ଗସାଥୀ ସମସ୍ତଙ୍କୁ ସାଥୀରେ ଧରି ଆସେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି, କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକର କାମତା ଗାଁରେ। ଏହି ଗାଁରେ ବାପାଙ୍କ ପାଇଁ କୋକେଇ ସଜଡ଼ା ଯାଉଥିବା ବେଳେ ସେଠାରେ ଥିବା ଏକଗଛରୁ ବଡ଼ ଡାଳ ହଠାତ ପୁଅଙ୍କ ମୁଣ୍ଡରେ ପଡ଼ି ଅକାଳମୃତ୍ୟୁ ହୋଇଯାଇଛି। କୋରାପୁଟ ସହରର ପୂଜାରିପୁଟ ଅଞ୍ଚଳରେ ରହୁଥିବା କାମତା ଗ୍ରାମର ଲକ୍ଷ୍ମଣ ମଣ୍ଡଳଙ୍କର ମଙ୍ଗଳବାର ରାତିରେ ମୃତ୍ୟୁ ହୋଇଥିଲା। ଲକ୍ଷ୍ମଣଙ୍କ ମୃତଦେହ ତାଙ୍କ ନିଜ ଗାଁ କମତାକୁ ନିଆଯାଇଥିଲା। ସେଠାରେ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ  ଘର ନିକଟରେ କୋକେଇ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ତାଙ୍କ ପୁଅ ବେଣୁଧର ଘରପଛ ପଟେ ଠିଆ ହୋଇଥିଲେ। ଲଗାଣବର୍ଷାରେ ବାଡ଼ ପଛପଟେ ଥିବା ଏକ ଗଛର ବଡ଼ ଡାଳ ହଠାତ୍‌ ଭାଙ୍ଗି ତାଙ୍କ ମୁଣ୍ଡରେ ପଡ଼ିଥିଲା। ଫଳରେ ବେଣୁଧର ଗୁରୁତର ହୋଇଥିଲେ। ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବୋରିଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ବେଣୁଧରଙ୍କୁ ମୃତ ଘୋଷଣା କରିଥିଲେ। କିଛି ଘଣ୍ଟା ମଧ୍ୟରେ ପରିବାରର ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବାରୁ ଏଭଳି ଦୁଃଖଦ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share