ବାଇକ୍‌ରେ ଯାଉଥିବା ଯୁବତୀଙ୍କ ଉପରେ ପଡ଼ିଲା ଗଛ

ଲହୁଣୀପଡା,୧୯।୪: ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଖଣ୍ଡାଧାର ରାସ୍ତାର ମହୁଲତା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଶୁଖିଲା ଶାଳଗଛ ଭାଙ୍ଗି ଯୁବତୀ ଉପରେ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସାଙ୍ଗରେ ଥିବା ଯୁବକ ଗାଡି ଓ ମୋବାଇଲ ନେଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଲାଠିକଟା ଥାନା ଅନ୍ତର୍ଗତ ଏରେଗେଡା ଗ୍ରାମର କରମ ସିଂ ଭୂମିଜଙ୍କ ଝିଅ ଅନିତା ଭୂମିଜ (୨୭) ଲାଠିକଟା ପେଟ୍ରୋଲ ପମ୍ପରେ କାମ କରୁଥିଲେ। ସୋମବାର ଜନୈକ ଯୁବକ ସହିତ ବାଇକ ଯୋଗେ ଖଣ୍ଡାଧାର ଯାଉଥିବାବେଳେ ରାସ୍ତା କଡରେ ଥିବା ଶୁଖିଲା ଗଛ ଭାଙ୍ଗି ଅନିତାଙ୍କ ଦେହରେ ପଡିଥିଲା। ଯୁବତୀଙ୍କ ମୃତ୍ୟୁ ପ୍ରତିବାଦରେ ତାଳବାହାଲି ସରପଞ୍ଚ ବୁଧୁ ନାଏକ ସମେତ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିଥିଲେ। ଖବରପାଇ ଲହୁଣୀପଡା ପୋଲିସ କୁଳିପୋଷ ରେଞ୍ଜର ବନ କର୍ମଚାରୀମାନେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ।

Share