ଦାରିଙ୍ଗବାଡ଼ିରେ ଉଡ଼ିଲା ତ୍ରିରଙ୍ଗା

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ୭୮ତମ ସ୍ବାଧୀନତା ଦିବସ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆଠାରେ ବ୍ଲକସ୍ତରୀୟ ଜାତୀୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟତମ ଅତିଥିଙ୍କ ମଧ୍ୟରେ ତହସିଲଦାର ଶରତ ଶବର, ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ, ସରକାରୀ ଆଇଟିଆଇର ଅଧ୍ୟକ୍ଷ ପ୍ରଦୀପ ସାହୁ, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଥମେ ମୁଖ୍ୟ ଅତିଥି ପହଞ୍ଚି ପରେଡ୍‌ ପରିଦର୍ଶନ କରିଥିଲେ। ପରେ ପତ୍ତାକା ଉତ୍ତୋଳନ ପରେ ନିଜ ଅଭିଭାଷଣରେ ଅଞ୍ଚଳର ବିକାଶ ତଥା ଶିକ୍ଷା, ମୋବାଇଲ ସେବା, ପର୍ଯ୍ୟଟନକ୍ଷେତ୍ରର ବିକାଶ ଆହୁରି ହେବାକୁ ରହିଛି ଯାହା ସରକାର କରିବା ପାଇଁ ପଦକ୍ଷେପ ନେଉଥିବା ସେ କହିଛନ୍ତି। ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ। ପରେ ସେ ସାମୁହିକ ପରେଡ୍‌କୁ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ଥାନୀୟ ଜନଜାତିର କୁଇ ସଙ୍ଗୀତ, ସମ୍ବଲପୁରୀ ନୃତ୍ୟ ସହ ଦେଶାତ୍ମକ ସଂଗୀତରେ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପରେ ବିଭିନ୍ନ ପ୍ରତିଯୋଗୀ ତଥା ପ୍ରଥମରୁ ସ୍ନାତକ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା କୁଇଜ୍‌, ରଚନା, ବକୃତା, ସଙ୍ଗୀତ, ନୃତ୍ୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବା ସହ ମାନପତ୍ର, ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିସହ ପରେଡ୍‌ରେ କୃତିତ୍ୱ ଛାତ୍ରୀଛାତ୍ରଙ୍କୁ ମଧ୍ୟ ପୁରସ୍କାର କରାଯାଇଥିଲା। ସେହିପରି ବ୍ଲକ ଅଫିସ, ବିଭିନ୍ନ ବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଜାତୀୟ ଦିବସ ପାଳନ କରାଯିବା ସହ ଦାରିଙ୍ଗବାଡ଼ି ଚାରିଛକଠାରେ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ପୁଷ୍ପମାଲ୍ୟ କରିଥିଲେ।