ଡିଜିପିଙ୍କୁ ରିପୋର୍ଟ ମାଗିଲେ ଜନଜାତି ଆୟୋଗ

କଟକ ଅଫିସ,୧୨ା୮: କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତର ଏକ ଗ୍ରାମରୁ ଜଣେ ଆଦିବାସୀ ନାବାଳିକାଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଥିଲା। ପୋଲିସ ଏହାକୁ ଆତ୍ମହତ୍ୟା ଦର୍ଶାଇ ଥିବାବେଳେ ନାବାଳିକା ଜଣଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ବିଭିନ୍ନ ସଙ୍ଗଠନ ଅଭିଯୋଗ କରିଥିଲେ। ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (ନ୍ୟାଶନାଲ କମିଶନ ଫର ସିଡ୍ୟୁଲ୍ଡ ଟ୍ରାଇବ୍‌) ଏହି ଘଟଣାରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ରିପୋର୍ଟ ତଲବ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୧ରେ ନାବାଳିକାଙ୍କ ମୃତଦେହ ମିଳିଥିଲା। ଏହାର ପୂର୍ବ ଦିନ ରାତିରେ ସେ ପରିସ୍ରା ପାଇଁ ଘର ବାହାରକୁ ଯାଇ ଆଉ ଫେରି ନ ଥିଲେ। ପରଦିନ ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ତାଙ୍କର ପୋଷାକ ଚିରିଯାଇଥିଲା। ତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ) ଅନୁଯାୟୀ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ଭାଜପା ନେତ୍ରୀ ସୁକେଶୀ ଓରାମ ଓ କାଳିରାମ ମାଞ୍ଝୀ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲା ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ବିରୋଧରେ ଏସ୍‌ସି ଏସ୍‌ଟି ଆଟ୍ରୋସିଟି ଆକ୍ଟ ଓ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ, ଘଟଣାର ନିରପେକ୍ଷ ତଦନ୍ତ ଓ ନାବାଳିକାଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ କରିବା ପାଇଁ ସେମାନେ ଦାବି କରିଥିଲେ।

Share