ପ୍ରତି ରବିବାର ଭର୍ଚୁଆଲ୍‌ ମୋଡ୍‌ରେ ବୁଲିପାରିବେ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର, ୪।୫ (ବ୍ୟୁରୋ): ମହାମାରୀ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରସ୍ଥିତ ଜନଜାତି ସଂଗ୍ରହାଳୟକୁ ଗତ ଏପ୍ରିଲ ୨୬ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। କିନ୍ତୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ଏହି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ମୋଡ୍‌ରେ ଦେଖିପାରିବେ। ଲୋକମାନେ ଫେସ୍‌ବୁକ୍‌ ଓ ଟୁଇଟର୍‌ ପେଜ୍‌ @scstrti, @stscdev ଖୋଲି ପ୍ରତି ରବିବାର ସଂଗ୍ରହାଳୟ ବୁଲି ଦେଖିପାରିବେ ବୋଲି ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି।
ଦେଶର ଶ୍ରେଷ୍ଠ ବିବେଚିତ ଏହି ଜନଜାତି ସଂଗ୍ରହାଳୟ ‘ମାନବ ସଂଗ୍ରହାଳୟ’ ଭାବେ ପରିଚିତ। ଏଠାରେ ୬୨ ଜନଜାତି ଓ ୧୩ ଆଦିମ ଜନଜାତିଙ୍କ ଜୀବନଶୈଳୀ, ସଂସ୍କୃତି ସମ୍ପର୍କିତ ୫ଟି ଗ୍ୟାଲେରି ସହ ପିଭିଟିଜି ଗ୍ୟାଲେରି ରହିଛି। ସେହିପରି ଜନଜାତି ପୂଜାପୀଠ, ଜନଜାତି ବାସଗୃହ, କାରୁକୃତି ଓ ବ୍ୟବହୃତ ବସ୍ତୁର ସମାହାର ସହ ଅଡିଟୋରିୟମ୍‌ ରହିଛି। ଭର୍ଚୁଆଲ ମୋଡ୍‌ରେ ଆରମ୍ଭ ହୋଇଥିବା ୬ ମିନିଟ୍‌ର ବୃତ୍ତଚିତ୍ରରେ ପର୍ଯ୍ୟଟକମାନେ ଜନଜାତି ସଂଗ୍ରହାଳୟ ସମ୍ପର୍କରେ ଜାଣିପାରିବେ ବୋଲି କୁହାଯାଇଛି।

Share