ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଶହେ ଫୁଟ୍‌ ଉଚ୍ଚରେ ଉଡ଼ିବ ତ୍ରିରଙ୍ଗା

ସମ୍ବଲପୁର,୨୬।୧(ବ୍ୟୁରୋ):  ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଶହେ ଫୁଟ୍‌ ଉଚ୍ଚରେ ଜାତୀୟ ପତାକା ଉଡିବ। ଏ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଶହେ ଫୁଟ୍‌ ଉଚ୍ଚର ଏକ ଖୁଣ୍ଟ ତିଆରି ସରିଛି। ୨୦ ଫୁଟ୍‌ ଦୈର୍ଘ୍ୟ ଓ ୩୦ ଫୁଟ୍‌ ପ୍ରସ୍ଥର ଜାତୀୟ ପତାକା ମଧ୍ୟ ତିଆରି ହୋଇଛି। ବୁଧବାର ପ୍ରଥମ କରି ପ୍ରଶାସନିକ କୋଠା ସମ୍ମୁଖରେ ଏହା ଉତ୍ତୋଳନ କରାଯିବ ବୋଲି କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ଜାତୀୟ ପତାକାକୁ ସବୁଦିନ ପାଇଁ ରଖାଯିବ। ଏଥିପାଇଁ ଅନୁଷଙ୍ଗିକ ବ୍ୟବସ୍ଥା କରାଯିବ। କିନ୍ତୁ ବୁଧବାର ସନ୍ଧ୍ୟାରେ ପତାକା ଅବତରଣ କରାଯିବ। ପୂର୍ବରୁ ଅନ୍ୟ ବିଶ୍ୱବିଦ୍ୟାଳୟ ଓ କେତେକ ଅନୁଷ୍ଠାନରେ ଏଭଳି ପତାକା ଉଡାଯାଉଛି। ଏ ନେଇ ଛାତ୍ରୀଛାତ୍ର ପ୍ରସ୍ତାବ ଦେବା ପରେ ଏସ୍‌ୟୁ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା। ସରକାରଙ୍କ ନିୟମ ଅନୁସାରେ ଜାତୀୟ ପତାକାର ସୁରକ୍ଷା ସାଙ୍ଗକୁ ଯତ୍ନ ନିଆଯିବ ବୋଲି କୁଳପତି କହିଥିଲେ।

Share