ଚିତ୍ରଡ଼ା,୧।୫: ୨ ହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ଜଣେ ପୋଲିସ ଏସ୍ଆଇ ଦେଖାଇଛନ୍ତି ଦବଙ୍ଗଗିରି। ସିଟ୍ବେଲ୍ଟ ସହ ହେଲମେଟ ପିନ୍ଧି ନ ଥିବା କହି ଟ୍ରକ୍ ଡ୍ରାଇଭରଙ୍କ ନାମରେ ଚାଲାଣ କାଟିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରୁ ।
ରାସଗୋବିନ୍ଦପୁର ଥାନା ଏସ୍ଆଇ ଅଜୟ କୁମାର ରାଉଳଙ୍କ ନାମରେ ଲାଞ୍ଚ ମାଗିବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଟ୍ରକ ଡ୍ରାଇଭର। ଟ୍ରକ ଡ୍ରାଇଭର ଆଲୋକ ମାଣିକଙ୍କ କହିବା ମୁତାବକ, ରୂପସାରୁ ସିମେଣ୍ଟ ବୋଝେଇ କରି ଅମର୍ଦା ଯାଉଥିଲେ। ହେଲେ ରାସଗୋବିନ୍ଦପୁରଠାରେ ଏସ୍ଆଇ ରାଉଳ ଟ୍ରକକୁ ଅଟକାଇ ୨ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ହେଲେ ଟଙ୍କା ନ ଦେବାରୁ ଏସ୍ଆଇ ରାଉଳ ଉତ୍ତ୍ୟକ୍ତ ହୋଇ ଟ୍ରକ ଡ୍ରାଇଭରଙ୍କ ନାମରେ ୪୫୦୦ ଟଙ୍କାର ଅନ୍ ଲାଇନ ଚାଲାଣ କାଟିଥିଲେ। ଚାଲାଣରେ ଡ୍ରାଇଭର ସିଟ୍ବେଲ୍ଟ ଏବଂ ହେଲମେଟ ପିନ୍ଧି ନ ଥିବା ଉଲ୍ଳେଖ ରହିଛି। ଏନେଇ ଏସ୍ଆଇ ଅଜୟ କୁମାର ରାଉଳଙ୍କୁ ପଚାରିବାରୁ ଲାଞ୍ଚ ମାଗିିବା କଥାକୁ ଖଣ୍ଡନ କରିଥିଲେ। ହେଲେ ଭୁଲରେ ଚାଲାଣରେ ହେଲମେଟ ପିନ୍ଧି ନ ଥିବା ନେଇ ଜରିମାନା ପଡିଯାଇଥିବା କହିଛନ୍ତି।